ଏମ୍‌ସରେ ୧୭୦ କୋଭିଡ୍‌ ଆକ୍ରାନ୍ତ ଚିକିତ୍ସାଧୀନ

ଶ୍ବାସକ୍ରିୟା ସମସ୍ୟା ସର୍ବାଧିକ
ଆଇସିୟୁ ଶଯ୍ୟା ୪୦କୁ ବୃଦ୍ଧି ନିଷ୍ପତ୍ତି
ଭେଣ୍ଟିଲେଟର ଓ ଅମ୍ଳଜାନ ଅଭାବ ନାହିଁ

ଭୁବନେଶ୍ବର : ଏମ୍‌ସରେ ଏବେ ଚିକିତ୍ସାଧୀନ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକଙ୍କ ମଧ୍ୟରେ ଶ୍ବାସକ୍ରିୟା ସମସ୍ୟା ଚିହ୍ନଟ ହେଉଛି। ଏଥିଯୋଗୁଁ ଏଠାରେ ଆଇସିୟୁ ଶଯ୍ୟା ସଂଖ୍ୟା ୪୦କୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଚିକିତ୍ସାଧୀନ ପ୍ରାୟ ୯୫ ପ୍ରତିଶତ ରୋଗୀ ସୁସ୍ଥ ହେଉଥିବା କହିଛନ୍ତି ଏମ୍‌ସ କର୍ତ୍ତୃପକ୍ଷ।

ଏମ୍‌ସକୁ ଗୁରୁତର ଅବସ୍ଥାରେ ରୋଗୀ ରେଫର ହୋଇ ଆସୁଛନ୍ତି। ଏଥିଯୋଗୁଁ ପ୍ରତି ମୁହୂର୍ତ୍ତରେ ଅଧିକ ସଂଖ୍ୟକ ଆଇସିୟୁ ଆବଶ୍ୟକ ହେଉଛି। ସୂଚନା ଅନୁଯାୟୀ, ପରୀକ୍ଷଣ ବେଳେ ପ୍ରତିଦିନ ଚିହ୍ନଟ ହେଉଛନ୍ତି ୯୨ରୁ ୧୦୦ ରୋଗୀ। ଏଥିମଧ୍ୟରୁ ୧୦ରୁ ୨୦ ଜଣଙ୍କୁ ଭର୍ତ୍ତି କରାଯାଉଛି। ଅର୍ଥାତ ୧୫ରୁ ୨୦ ପ୍ରତିଶତ ରୋଗୀଙ୍କୁ ହିଁ ଭର୍ତ୍ତି କରାଯାଉଛି। ଅନ୍ୟମାନଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଉଛି। ବର୍ତ୍ତମାନ ଏଠାରେ ୧୭୦ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ତେଣୁ କେବଳ ୧୦ ଶଯ୍ୟା ଖାଲି ରହିଛି। ଅନ୍ୟପକ୍ଷରେ ଆଇସିୟୁରେ କାର୍ଯ୍ୟକ୍ଷମ ଥିବା ୩୨ ଶଯ୍ୟା ମଧ୍ୟରୁ ୨୮ଟିରେ ‌ଗୁରୁତର କୋଭିଡ୍‌ ରୋଗୀ ଅଛନ୍ତି। ମାତ୍ର ସପ୍ତାହ ମଧ୍ୟରେ ଭର୍ତ୍ତି ରୋଗୀ ସଂଖ୍ୟା ୬୦ରୁ ଅଧିକ ବୃଦ୍ଧି ପାଇଛି। ପ୍ରତିଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଶହେରୁ ଅଧିକ ଭେଣ୍ଟିଲେଟର ରହିଛି। ତେଣୁ ଏଯାଏ ଭେଣ୍ଟିଲେଟର ସଙ୍କଟ ଏଠାରେ ଦେଖାଯାଇ ନାହିଁ। ଅଧିକାଂଶ ରେଫରାଲ ଗୁରୁତର ରୋଗୀ ଏଠାକୁ ଆସୁଥିବାରୁ ଯେଉଁ ସଂଖ୍ୟାରେ ରୋଗୀ କୋଭିଡ୍‌ ଚିହ୍ନଟ ହେଉଛନ୍ତି ସେହି ସଂଖ୍ୟାରେ ଭର୍ତ୍ତି ହେଉ ନଥିବା କୁହାଯାଉଛି। ଗୃହାବଦ୍ଧରେ ଥିବା ରୋଗୀ ଏମ୍‌ସ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚାହିଁଲେ କୋଭିଡ୍‌ ଟେଲିମେଡିସିନର ସହାୟତା ନେଇ ପାରିବେ। ଗତବର୍ଷ ଠାରୁ ଚଳିତ ବର୍ଷ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକତା ଅଧିକ ପଡ଼ୁଛି। ଏଠାରେ ତରଳ ଅମ୍ଳଜାନର ଟାଙ୍କି ରହିଛି, ସିଲିଣ୍ଡର ମଧ୍ୟ ରହିଛି। ଅନ୍ୟ ଡାକ୍ତରଖାନା ଭଳି ଏଠାରେ ଅମ୍ଳଜାନ ସଙ୍କଟ ନଥିବା ଏମ୍‌ସ କର୍ତ୍ତୃପକ୍ଷ କହୁଛନ୍ତି।

ଗତବର୍ଷ ଭଳି ଚଳିତ ବର୍ଷ ଏମ୍‌ସର ଡାକ୍ତର ସଂକ୍ରମିତ ହୋଇ ନାହାନ୍ତି। ୯୦ ପ୍ରତିଶତ ଟିକାକରଣ ସତ୍ତ୍ବେ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ୧୬୭ ଡାକ୍ତରୀ ବିଦ୍ୟାର୍ଥୀ, ଡାକ୍ତର, ନର୍ସ ଏବଂ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ପ୍ରାୟ ୧୦ରୁ ୧୫ ଜଣ ଡାକ୍ତର ହୋଇଥିବାବେଳେ ଡାକ୍ତରୀ ବିଦ୍ୟାର୍ଥୀଙ୍କ ସଂଖ୍ୟା ସର୍ବାଧିକ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏତେ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେବା ଯୋଗୁଁ ଚିକିତ୍ସା ମଧ୍ୟ ପ୍ରଭାବିତ ହେଉଛି।

The post ଏମ୍‌ସରେ ୧୭୦ କୋଭିଡ୍‌ ଆକ୍ରାନ୍ତ ଚିକିତ୍ସାଧୀନ first appeared on Sambad.

from କରୋନା | Sambad https://ift.tt/3b8tiYy

Post a Comment

0 Comments