
ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁଥିବା କୋଭିଡ୍-୧୯ ଟିକା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ‘ଭେରିଆଣ୍ଟ୍’ (ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁ) ବିପକ୍ଷରେ ଫଳପ୍ରଦ ବୋଲି ମଙ୍ଗଳବାର ଦିନ ଶୀର୍ଷସ୍ତରୀୟ ଆମେରିକୀୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।
ଭୂତାଣୁ ‘ଭେରିଆଣ୍ଟ୍’ ‘ବି.୧.୬୧୭’ ଗତବର୍ଷ ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ତାହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଶ୍ବିକସ୍ତରରେ ‘ଭେରିଆଣ୍ଟ୍ ଅଫ୍ କନ୍ସର୍ଣ୍ଣ’ ବା ‘ଚିନ୍ତା ଉଦ୍ରେକକାରୀ ପ୍ରଜାତି’ ଭାବେ ବର୍ଗୀକରଣ କରିଥିଲା।
ୱାସିଂଟନ୍ରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି, ୬୧୭ ଆଣ୍ଟିବଡି ତଥ୍ୟରୁ ମିଳିଥିବା ‘ମୋଡେଷ୍ଟ୍ ନ୍ୟୁଟ୍ରାଲାଇଜେସନ୍ ରେଜିଷ୍ଟାନ୍ସ୍’ରୁ ଜଣାପଡ଼ିଛି ଯେ, ଆମେ ବ୍ୟବହାର କରୁଥିବା ଟିକା ଉପରୋକ୍ତ ଭୂତାଣୁ ବିପକ୍ଷରେ ଅନ୍ୟୂନ ଆଂଶିକ, ସମ୍ଭବତଃ ସମ୍ପୂଣ୍ଣ ସୁରକ୍ଷା ପ୍ରଦାୟକ ହୋଇପାରେ।
ଏ ସଂକ୍ରାନ୍ତରେ ସଂଗ୍ରହ କରିଥିବା ତଥ୍ୟାବଳୀ ଓ ସଦ୍ୟତମ ଗବେଷଣା ପତ୍ର ଉପସ୍ଥାପନ କରି ଡାକ୍ତର ଫାଉଚି କହିଛନ୍ତି ଯେ, ଭାରତରେ ଚିହ୍ନଟ ହୋଇଥିବା ଉଭୟ ‘ଭେରିଆଣ୍ଟ୍ ବି୬୧୭’ ଏବଂ ‘ବି୧୬୧୮’କୁ କେବଳ ୨.୫ଗୁଣ ‘ଡିମିନ୍ୟୁସନ୍ ଟାଇଟର୍’ଦ୍ବାରା ନିଷ୍କ୍ରିୟ କରାଯାଇ ପାରୁଛି। ତେଣୁ, ମାରାତ୍ମକ ରୋଗ ସୃଷ୍ଟିକାରୀ ସଂକ୍ରମଣରୁ ସୁରକ୍ଷା ଦେବାରେ ଏହି ଟିକାର ସାମର୍ଥ୍ୟ ରହିଛି।
ଟିକା ନେବାର ଗୁରତ୍ବ ବିଷୟରେ ଇସାରା ଦେଇ ସେ କହିଲେ ଯେ, ଏହା ହେଉଛି ଗତ ଅଳ୍ପ କିଛି ଦିନ ତଳେ ସଂଗୃହୀତ ବୈଜ୍ଞାନିକ ତଥ୍ୟାବଳୀରୁ ମାତ୍ର ଗୋଟିଏ।
ସେହିଭଳି, ହ୍ବାଇଟ୍ ହାଉସ୍ କୋଭିଡ୍-୧୯ର ବରିଷ୍ଠ ପରାମର୍ଶଦାତା ଆଣ୍ଡି ସ୍ଲାଭିଟ୍ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁଥିବା ଟିକା ଭାରତରେ ସଂକ୍ରମଣ କରୁଥିବା ‘ଭେରିଆଣ୍ଟ୍’ ବିପକ୍ଷରେ ଫଳପ୍ରଦ ହେଉଛି। ତେଣୁ, ସଭିଏଁ ଟିକା ନେବା ଉଚିତ।
The post ଭାରତରେ ସଂକ୍ରମଣ କରାଉଥିବା ‘କୋଭିଡ୍ ଭେରିଆଣ୍ଟ୍’ ବିପକ୍ଷରେ ଫଳପ୍ରଦ ହେଉଛି ଆମେରିକୀୟ ଟିକା: ଶୀର୍ଷସ୍ତରୀୟ ଅଧିକାରୀ first appeared on Sambad.from କରୋନା | Sambad https://ift.tt/3v4guuj
0 Comments