ନୂଆପଡ଼ା: କରୋନା ଏକ ଆତଙ୍କ। କୌଣସି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଲେ ନିଜ ପରିବାର ସଦସ୍ୟ କେହି ବି ଛୁଅଁନ୍ତି ନାହିଁ। ପୁଣି ଜ୍ବର, କାଶ କିମ୍ବା ଥଣ୍ତା ହେଲେ ବି ପାଖକୁ ଯାଉ ନ ଥିବା ଦେଖିବାକୁ ମିଳୁଛି। ପୁଣି କରୋନା ପଜିଟିଭ ବ୍ୟକ୍ତିଙ୍କ ଶବକୁ ବନ୍ଧୁବାନ୍ଧବ କି ପରିବାର ଲୋକେ ଛୁଉଁ ନାହାନ୍ତି । କିନ୍ତୁ ଜୀବନ ମରଣର କରୋନା କାଳରେ କରୋନା ପଜିଟିଭ ବ୍ୟକ୍ତି କିମ୍ବା ଜ୍ବର କାଶ ତଥା ଥଣ୍ତାରେ ପୀଡ଼ିତଙ୍କୁ ନିଜ ଅଟୋରେ କୋମନା ମେଡିକାଲ ଆଣି ଟେଷ୍ଟିଂ ତଥା ଅନ୍ୟାନ୍ୟ ପରୀକ୍ଷା କରାଉଛନ୍ତି।

ଏହି ଅଟୋ ଚାଳକ ଜଣକ କରୋନା କାଳର ଦେବଦୂତ ସାଜିଛନ୍ତି। ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତର ଅଟୋ ଚାଳକ ଜଣେ ଏଚଆଇଭି ପଜିଟିଭ । ଜୀବନକୁ ଆଉ ତାଙ୍କ ଭରସା ନାହିଁ । ସେ ନିଜର ଏକ ଅଟୋ ଚଳାଇ ନିଜର ପରିବାର ଚଳାନ୍ତି । କିଛି ଦିନ ହେବ ନିଜ କୋନାବିରା ପଞ୍ଚାୟତରେ ଦୈନିକ ଶହ ଶହ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଜ୍ବର କାଶ କିମ୍ବା ଥଣ୍ତା ପୀଡ଼ିତଙ୍କୁ କୌଣସି ଗାଡି ମେଡିକାଲକୁ ନେବାକୁ ମନା କରୁଛନ୍ତି । କିନ୍ତୁ ଏ ଅଟୋ ଚାଳକ ଜଣକ ଦିନରାତି ଯେତେ ବେଳେ ବି ସୂଚନା ପାଇଲେ ରୋଗୀଙ୍କ ଘରକୁ ପହଞ୍ଚିଯାନ୍ତି। ରୋଗୀଙ୍କୁ ନିଜ ଅଟୋରେ ବସାଇ କୋମନା ମେଡିକାଲ ଆଣି କରୋନା ଟେଷ୍ଟ କରାନ୍ତି। ପଜିଟିଭ ଚିହ୍ନଟ ହେଲେ ବି ତାଙ୍କୁ ନେଇ ଘରେ ଛାଡ଼ନ୍ତି। ମେଡିକାଲ ନେବା ଆଣିବାରେ କାହାଠାରୁ ଗାଡ଼ି ଭଡ଼ା ମାଗନ୍ତି ନାହିଁ, ଯିଏ ଦେଲେ ଭଲ, ନ ଦେଲେ ବି ଭଲ । ଦୀର୍ଘ ମାସେ ହେବ ଏ ସେବା କୋନାବିରା ପଞ୍ଚାୟତର ଲୋକଙ୍କୁ ଯୋଗାଇ ଆସୁଛନ୍ତି।
ଅଟୋ ଚାଳକ ଜଣକ କହନ୍ତି ଯେ, ସେ ଏଚଆଇଭି ପଜିଟିଭ। କେତେ ବେଳେ ବି ମରି ଯାଇପାରନ୍ତି । କିନ୍ତୁ ଜିଇଁଥିବା ଯାଏ, କାହାକୁ ବଞ୍ଚାଇ ତ ପାରିବି । ତାଙ୍କୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସରପଞ୍ଚ ଈଶ୍ବର ଚନ୍ଦ୍ର ନାଏକ ବି ଧନ୍ୟବାଦ ଜଣାଇଛନ୍ତି।

 

The post ଚର୍ଚ୍ଚାରେ ନୂଆପଡ଼ାର କରୋନା କାଳର ଦେବଦୂତ first appeared on Sambad.

from କରୋନା | Sambad https://ift.tt/3xMWIFg