
ନୂଆଦିଲ୍ଲୀ: କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର ଉପମୁଖ୍ୟ ଫେର୍ଡି ପିୟେ ମଙ୍ଗଳବାର ଦିନ ଜାକର୍ତାର ଏକ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଥିବା ବେଳେ ସେ କରୋନାଭାଇରସ୍ଦ୍ବାରା ସଂକ୍ରମିତ ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
କିନ୍ତୁ, ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଏପ୍ରିଲ୍ ୨୭ ତାରିଖ ଦିନ ତାଙ୍କୁ ଜାକର୍ତାର ଏକ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଜାକର୍ତା ଯାଇଥିଲେ।
ଡିସେମ୍ବର ୨୦ ତାରିଖ ଦିନ ହାଇଦ୍ରାବାଦର ‘ଭାରତ ବାୟୋଟେକ୍ ଏବଂ ବାୟୋଲୋଜିକାଲ୍ ଇ’ ପରିଦର୍ଶନରେ ଯାଇଥିବା ୬୪ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧି ଦଳରେ ଫେର୍ଡି ପିୟେ ଥିଲେ ଅନ୍ୟତମ। ଠିକଣା ସମୟରେ ଟିକା ପ୍ରସ୍ତୁତି ହୋଇ ମହାମାରୀକୁ କାବୁ କରିହେବ ସେତେବେଳେ ସେ କହିଥିଲେ।
ସହକର୍ମୀଙ୍କ ବିୟୋଗ କାରଣରୁ ଭାରତସ୍ଥିତ ପୂର୍ବତନ ଇଣ୍ଡୋନେସୀୟ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ସୁରୋଦିପୁରୋ ସମବେଦନା ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ୍ ମାସରେ କୋଭିଡ୍ ଆକ୍ରାନ୍ତ ହୋଇ ଭାରତରେ ପ୍ରାଣ ହରାଇଥିବା ପ୍ରଥମ ବିଦେଶୀ ରାଷ୍ଟ୍ରଦୂତ ଥିଲେ ତାଞ୍ଜାନିଆର ସରକାରୀ ଅଧିକାରୀ। ଏପ୍ରିଲ୍୨୮ ତାରିଖ ଦିନ ଦିଲ୍ଲୀ କ୍ୟାଣ୍ଟନ୍ମେଣ୍ଟ୍ସ୍ଥିତ ବେସ୍ ହସ୍ପିଟାଲ୍ରେ ତାଞ୍ଜାନିଆର ପ୍ରତିରକ୍ଷା ଉପଦେଷ୍ଟା କର୍ଣ୍ଣେଲ୍ ଡକ୍ଟର ମୋଜେସ୍ ବିଟସ୍ ମୁଲାଙ୍କର ମୃତ୍ୟୁ ଘଟିଥିଲା।
The post କୋଭିଡ୍-୧୯ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର କୂଟନୀତିଜ୍ଞ first appeared on Sambad.from କରୋନା | Sambad https://ift.tt/3flCPxU
0 Comments