
ଏଇ ମାସ ପ୍ରଥମ ସପ୍ତାହରେ ମୋର ଦେହ ଅହେତୁକ ଭାବେ ଦୁର୍ବଳ ଲାଗିଲା। ଯେହେତୁ ମୋର ଉଚ୍ଚ ରକ୍ତଚାପ, ମଧୁମେହ ଓ ମାଂସପେଶୀୟ ରୋଗ ଆଦି ରହିଛି ତେଣୁ କରୋନା ପରୀକ୍ଷା କରିବା ଲାଗି ମନସ୍ଥ କଲି। ଦେହରେ ଜ୍ବର ନ ଥିଲା, ହେଲେ ଦେହ ହାତ ଓ ମୁଣ୍ଡ ଅତ୍ୟଧିକ ଏତେ ପରିମାଣର ବିନ୍ଧା ହେଉଥିଲା ଯେ ସମ୍ଭାଳିବା କଷ୍ଟକର। ପରଦିନ ଯାଇ ଆରଟି-ପିସିଆର ପରୀକ୍ଷା କଲି। ଯାହା ଆଶଙ୍କା କରୁଥିଲି ସେୟା ହେଲା। ରିପୋର୍ଟ ପଜିଟିଭ୍ ଆସିଲା।
ପଜିଟିଭ୍ ଚିହ୍ନଟ ହେବା ଦିନଠାରୁ ଜ୍ବର ଲାଗି ରହିବା ସହିତ ବାନ୍ତି, ପତଳା ଝାଡ଼ ଓ ଶରୀର ଆହୁରି ଦୁର୍ବଳ ହେବା ଭଳି ଅନୁଭବ ହେଲା। ଭୋକ ସଂପୂର୍ଣ୍ଣ ଭାବେ କମିଯିବା ସହିତ ଖାଇବା ପ୍ରତି ଅରୁଚି ଲାଗିଲା। ଜ୍ବର ଓ ମୁଣ୍ଡ ବ୍ୟଥା ଯୋଗୁଁ ଶୋଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଶୋଇ ହେଲାନାହିଁ। ଧୀରେ ଧୀରେ କାଶ ଓ ଛାତି ପୀଡ଼ା ମଧ୍ୟ ଆରମ୍ଭ ହୋଇଗଲା। ଏଚ୍ଆରସିଟି କରିବା ପରେ କରୋନା ମଧ୍ୟମରୁ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡ଼ିଥିଲା। ଏଭଳି ପରିସ୍ଥିତିରେ ଜଣେ ହସ୍ପିଟାଲରେ ଆଡମିଟ ହେବା ଜରୁରୀ। ହେଲେ ମୁଁ ଘରେ ରହି ନିଜର ଚିକିତ୍ସା କରିବା ପାଇଁ ମନସ୍ଥ କଲି। ପରିବାରଠାରୁ ଅଲଗା ରହିଲି। ବିଛଣା, ଚୌକି, ବାଥରୁମ, ଲୁଗାପଟା ଓ ଖାଇବା ପିଇବା ଇତ୍ୟାଦି ଅଲଗା କରିଦେଲି। ସମୟ ସମୟରେ ବହୁତ ଅସୁବିଧା ହେଉଥିଲା। ମନରେ ଡର ମଧ୍ୟ ଲାଗିବାକୁ ଆରମ୍ଭ କରିଥିଲା କାଳେ ସ୍ଥିତି ଗୁରୁତର ଆଡ଼କୁ ଗତି କରିବ କି ? ଘରେ ରହିବା ସମୟରେ ଆଜିଥ୍ରୋମାଇସିନ, ପାରାସିଟାମଲ, ଭିଟାମିନ ସି ଓ ଜିଙ୍କ, ଲିଭୋସେଟ୍ରିଜିନ୍, ଓଆରଏସ୍, ମଧୁମେହ ଓ ଉଚ୍ଚ ରକ୍ତଚାପ ଔଷଧ ଜାରି ରଖିଥିଲି। ଏହାସହ ଲେମ୍ବୁ ମିଶା ଉଷୁମ ପାଣି ପିଉଥିଲି। ଏମିତି ୪/୫ଦିନ ବିତି ଯାଇଥିଲା। ଜ୍ବର କମିଯିବା ସହିତ ଦେହ ଭଲ ଲାଗିବାକୁ ଆରମ୍ଭ କରିଥିଲା। ହେଲେ ମଝିରେ ମଝିରେ ତାପମାତ୍ରା ଟିକେ ବଢ଼ିଯାଏ। ପତଳା ଝାଡ଼ା ଯୋଗୁଁ ଶରୀର ଅଧିକ ଦୁର୍ବଳ ଲାଗୁଥାଏ। କୌଣସି କାମ କରିବା ତ ଦୂରର କଥା ଟିଭି ଓ ବହି ପଡ଼ିବା ପାଇଁ ମଧ୍ୟ ଆଗ୍ରହ ହୁଏ ନାହିଁ। ୧୪ଦିନ ପରେ ଭଲ ଲାଗିଲା ଓ ସେତେବେଳେକୁ ସଂପୂର୍ଣ୍ଣ କରୋନାରୁ ସୁସ୍ଥ ହୋଇ ଯାଇଥିଲି।
ଅନେକ ଲୋକ କରୋନା ସାଇକୋସିସ୍ର ଶିକାର ହେଉଛନ୍ତି। ମୋତେ କିନ୍ତୁ ଏହି କରୋନା ସାଇକୋସିସ୍ ଦବାଇ ପାରିଲାନି। ଜଣେ ରୋଗୀଙ୍କୁ ଏହି ଭୟ ଯେମିତି ଗ୍ରାସ ନ କରେ ସେଥିପାଇଁ ସତର୍କ ରହିବାକୁ ପଡ଼ିବ। କରୋନାର ପ୍ରଥମ ୭ଦିନ ଦେହରେ ସେଟ୍ ଅପ୍, ପରବର୍ତୀ ସପ୍ତାହ ଲକ୍ଷଣ ପ୍ରକାଶ ପାଏ ଓ ପରବର୍ତୀ ସପ୍ତାହରେ ଏହା କମିବାକୁ ଆରମ୍ଭ କରିଥାଏ। ତେଣୁ ଏ ଦୃଷ୍ଟିରୁ ଦ୍ବିତୀୟ ଓ ତୃତୀୟ ସପ୍ତାହ ବେଶ୍ ଗୁରୁତ୍ବପୂର୍ଣ୍ଣ। ତେଣୁ ସଂପୂର୍ଣ୍ଣଭାବେ ଗୃହ ପୃଥକବାସକୁ ମାନିବାକୁ ପଡ଼ିବ। ମାସ୍କ, ହାତ ଧୋଇବା ସହିତ ପୃଥକବାସ ଅତ୍ୟନ୍ତ ଜରୁରୀ।
ଡା.ରାମଚନ୍ଦ୍ର ରାଉତ, ନିର୍ଦେଶକ,
ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ ନିର୍ଦେଶାଳୟ
from କରୋନା | Sambad https://ift.tt/346rcoi
0 Comments