
ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବରୁ ମୃତ କୋଭିଡ୍-୧୯ ରୋଗୀମାନଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।
କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିବା ଲାଗି ‘ଆମ୍ ଆଦ୍ମି ପାର୍ଟି’ ସରକାର ୬ଜଣିଆ ଡାକ୍ତରୀ କମିଟି ମଧ୍ୟ ଗଠନ କରିଛି। ଏ ସଂକ୍ରାନ୍ତରେ ଗୁରୁବାର ଦିନ ଜାରି ସରକାରୀ ଆଦେଶନାମାରେ ଉଲ୍ଲେଖ ଅଛି, ନିକଟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଅକ୍ସିଜେନ୍ ଅଭାବ ହେତୁ ମୃତ୍ୟୁବରଣ କରିଥିବା କୋଭିଡ୍-୧୯ ମାମଲାଗୁଡ଼ିକୁ ସମୀକ୍ଷା କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ଆକଳନ କରିବା ନିମନ୍ତେ ସରକାର ୬ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି।
ଡାକ୍ତରଖାନାରେ ନିୟମାନୁସାରେ ଅକ୍ସିଜେନ୍ ଦିଆଯାଉଥିଲା କି, ନାହିଁ ଉପରୋକ୍ତ କମିଟି ଯାଞ୍ଚ କରିବ ବୋଲି ଏହି ଆଦେଶନାମାରେ ଉଲ୍ଲେଖ ହୋଇଛି। ପ୍ରତି ମାମଲାରେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ ପାଇଁ ଏହି କମିଟି ନୀତିନିୟମ ନିର୍ଦ୍ଧାରଣ କରିବ।
ଏହି କମିଟି ପ୍ରତି ସପ୍ତାହରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ପାଖକୁ ରିପୋର୍ଟ ପଠାଇବ। ଏ ମାସ ଆଦ୍ୟରେ ଅକ୍ସଜେନ୍ ସଙ୍କଟ ହେତୁ ଜଣେ ବରିଷ୍ଠ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲ୍ରେ ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏପ୍ରିଲ୍ ୨୨ ତାରିଖ ଦିନ ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ରେ ମଧ୍ୟ ଅକ୍ସିଜେନ୍ ଅଭାବରୁ ପ୍ରାୟ ୨୦ଜଣ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଥିଲେ।
The post ଅକ୍ସିଜେନ୍ ଅଭାବରୁ ମୃତ ବ୍ୟକ୍ତିମାନଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଦିଲ୍ଲୀ ସରକାର first appeared on Sambad.from କରୋନା | Sambad https://ift.tt/3i6AnNw
0 Comments