
ନୂଆଦିଲ୍ଲୀ: ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି ଏବଂ ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଭୀଷଣ ପ୍ରତିକୂଳ ପାଣିପାଗ ସମ୍ବନ୍ଧୀୟ ଘଟଣା ସଂକ୍ରାନ୍ତ ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସାମୁଦ୍ରିକ ଝଡ଼ ଯୋଗୁଁ ହେଉଥିବା ମୃତ୍ୟୁହାର ବିଗତ ୧୦ ବର୍ଷ ମଧ୍ୟରେ ଯଥେଷ୍ଟ କମିଛି। ଅଧ୍ୟୟନ ମୁତାବକ, ଏହି ୫୦ ବର୍ଷ ମଧ୍ୟରେ ଦେଶରେ ଚରମ ପ୍ରତିକୂଳ ପାଣିପାଗ ସଂପର୍କିତ ୭୦୬୩ ଘଟଣା ଘଟିଛି ଏବଂ ଏଥିରେ ୧,୪୧,୩୦୮ ଜଣଙ୍କ ଜୀବନ ଯାଇଛି।
ସେମାନଙ୍କ ମଧ୍ୟରୁ ବାତ୍ୟାରେ ୪୦ ହଜାର ୩୫୮ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ୬୫ ହଜାର ୧୩୦ ଜଣ ବନ୍ୟା ଯୋଗୁଁ ପ୍ରାଣ ହରାଇଛନ୍ତି। ଏ ସଂକ୍ରାନ୍ତ ଅଧ୍ୟୟନ ରିପୋର୍ଟକୁ ଭୂ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍ ରାଜୀବନ୍, ଗବେଷକ ତଥା ବୈଜ୍ଞାନିକ କମଳଜିତ ରାୟ, ଏସ୍ଏସ୍ ରାୟ, ଆର୍ କେ ଗିରି ଏବଂ ଏ ପି ଦିମରି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଚଳିତ ମାସରେ ପଶ୍ଚିମ ତଟରେ ସାମୁଦ୍ରିକ ଝଡ଼ ତୌକ୍ତେର ପ୍ରକୋପ ଦେଖିବାକୁ ମିଳିଥିଲା ଏବଂ ଏହା ଗୁଜରାଟ ତଟରେ ଧ୍ବଂସଲୀଳା ରଚାଇଥିଲା। ଏଥିରେ ୫୦ ଜଣଙ୍କ ଜୀବନ ଯାଇଥିଲା। ଗତକାଲି ପୂର୍ବ ତଟରେ ଭୀଷଣ ବାତ୍ୟା ୟାସ୍ ତାଣ୍ଡବ ସୃଷ୍ଟି କରିଥିଲା ଏବଂ ଏହା ଓଡ଼ିଶା ଓ ପଶ୍ଚିମବଂଗର ତଟବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏବେ ବାତ୍ୟା ସଂକ୍ରାନ୍ତ ଯଥେଷ୍ଟ ଆଗୁଆ ସୂଚନା ଏବଂ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ପାଇଁ ମୃତ୍ୟୁ ସଂଖ୍ୟା କମୁଛି ।
The post ୫୦ ବର୍ଷରେ ୧୧୭ ବାତ୍ୟା, ୪୦ ହଜାର ମୃତ first appeared on Sambad.from କରୋନା | Sambad https://ift.tt/2R3VeGs
0 Comments