ଭୁବନେଶ୍ବର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାପ୍ତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧୪ଜଣଙ୍କ ପ୍ରାଣ ନେଇଛି କରୋନା। ଏଣେ ବୌଦ୍ଧରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ, ରାୟଗଡ଼ାରେ ୯୦ କଳାହାଣ୍ଡିରେ ୬୯, ନୂଆପଡ଼ାରେ ୪୬ ଓ ସୁନ୍ଦରଗଡ଼ରେ ୨୨୯କୁ ବୃଦ୍ଧି ପାଇଛି।
ସେହିପରି ଗଜପତିରେ ଏଯାବତ୍ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋରାପୁଟରେ ୨୬ ଓ ବଲାଙ୍ଗୀରରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୦,୩୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୫୭୭୯ ଚିହ୍ନଟ ହୋଇଥିବା ବେଳେ ୪୫୪୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୭୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

 

The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/2QsLwgv