
ରାଉରକେଲା : ରାଉରକେଲା କୋଏଲ ନଗର ଡି’ ବ୍ଲକର ପ୍ରସାଦ ପରିବାର କରୋନା ବିରୋଧରେ ଯୁଦ୍ଧକରି ବିଜୟ ଲାଭ କରିବାର ସାହସିକ ଉଦାହରଣ ସୃଷ୍ଟି କରିଛନ୍ତି।
ସାନଭାଇ ମୁକେଶ ପ୍ରସାଦ ଓ ବଡ଼ଭାଇ ରାକେଶ ପ୍ରସାଦଙ୍କର ଏହି ଯୌଥ ପରିବାରରେ ୮୦ ବର୍ଷ ବୟସ୍କ ବୃଦ୍ଧ ବାପାଙ୍କ ସହିତ ଅଛନ୍ତି ମୋଟ୍ ୮ ସଦସ୍ୟ। ଏହାସହ ବୃଦ୍ଧ ବାପା ମଧ୍ୟ ସେମାନଙ୍କ ସହ ରହନ୍ତି। ଏହି ପରିବାରର ୫ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ। ଆକ୍ରାନ୍ତ ହୋଇଥିବା ସଦସ୍ୟମାନେ ଥିଲେ ମୁକେଶ (୪୧), ତାଙ୍କ ପତ୍ନୀ ସଙ୍ଗୀତା (୩୬), ପୁଅ ଆଦିତ୍ୟ (୧୬), ବଡ଼ଭାଇ ରାକେଶ (୪୯) ଓ ପୁତୁରା ରୋହିତ (୨୪)। କେବଳ ତାଙ୍କର ୭ ବର୍ଷର ଝିଅ ଓ ଭାଉଜ ସଂକ୍ରମିତ ହୋଇନଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ, ଖାଦ୍ୟ ଗ୍ରହଣ, ଯୋଗ ତଥା କୋଭିଡ୍ ନିୟମର ପାଳନ କରି ଏମାନେ ପରବର୍ତ୍ତୀ ସମୟରେ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି।
ସେମାନଙ୍କର କରୋନା ବିଜୟର କାହାଣୀକୁ ବିସ୍ତୃତଭାବେ କହନ୍ତି ମୁକେଶ ପ୍ରସାଦ, ‘‘ଗତ ୨୨ ତାରିଖରେ ବାପା (୮୦)ଙ୍କୁ ସାମାନ୍ୟ କାଶ ଓ ଜ୍ବର ହୋଇଥିଲା। ଔଷଧ ଦିଆଯିବାପରେ ତାହା ଠିକ୍ ହୋଇଯାଇଥିଲା। ଦୁଇ ଦିନ ଭିତରେ ବାପା ସଂପୂର୍ଣ୍ଣ ସୁସ୍ଥ ହୋଇଯିବାରୁ ତାଙ୍କୁ କରୋନା ହୋଇନଥିବା ସମସ୍ତେ ଭାବିଥିଲେ। ତେବେ ଏପ୍ରିଲ ୨୭ ତାରିଖରେ ଘରର ଆଉ କିଛି ସଦସ୍ୟଙ୍କ ପାଖରେ ଲକ୍ଷଣ ଦେଖାଯାଇଥିଲା। ତା’ ପରଦିନ ଟେଷ୍ଟ୍ କରିବାରୁ ମୁଁ, ମୋ’ର ପୁଅ, ବଡ଼ଭାଇ ଓ ପୁତୁରା ସଂକ୍ରମିତ ଥିବା ଜଣାପଡ଼ିଥିଲା। କିଛିଦିନ ପରେ, ଅର୍ଥାତ୍ ମେ’ ୪ ତାରିଖରେ ପତ୍ନୀ ସଂକ୍ରମିତ ହୋଇଥିଲେ। ବାପାଙ୍କଠାରେ ଲକ୍ଷଣ ନଥିବାରୁ ଟେଷ୍ଟ କରା ଯାଇନଥିଲା। କିନ୍ତୁ ରିପୋର୍ଟ ଆସିବାପରେ ଆମେ ସମସ୍ତେ ସଙ୍ଗରୋଧରେ ରହିଥିଲୁ। ସମସ୍ତେ ନିଜ ନିଜ କୋଠରି ଭିତରେ ଆବଦ୍ଧ ହୋଇ ରହିଥିଲେ। ସଂକ୍ରମିତ ନବଢ଼ିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ବୃଦ୍ଧ ବାପା କିମ୍ବା ୭ ବର୍ଷର ଝିଅ ପାଖକୁ ବି କେହି ଯାଉନଥିଲୁ, କେବଳ ଦୂରରୁ ସେମାନଙ୍କ ସହ କଥାବାର୍ତ୍ତା ହେଉଥିଲୁ। ଡାକ୍ତରଙ୍କ ଯୋଗାଯୋଗରେ ଥିଲୁ। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଇବା ସହ ପ୍ରାଣାୟାମ ଆଦି କରୁଥିଲୁ। ନିୟମିତଭାବେ ସମସ୍ତଙ୍କର ଅକ୍ସିଜେନ ମାତ୍ରା ଯାଞ୍ଚ, ବିପି ଯାଞ୍ଚ ଆଦି କରାଯାଉଥିଲା। ତେବେ ଏସବୁ ଭିତରେ ଯାହା ଖୁସି ଦେଇଥିଲା, ତାହା ହେଲା ରାଉରକେଲା ମହାନଗର ନିଗମ(ଆର୍ଏମ୍ସି)ର ସହାୟତା। ଆର୍ଏମ୍ସି ପକ୍ଷରୁ ଏକାଧିକବାର ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚରାଯାଉଥିଲା ଓ ବିଧି ପାଳନ ନେଇ ସତର୍କ କରା ଯାଉଥିଲା। ସର୍ବଦା ମାନସିକ ସ୍ତରରେ ସୁଦୃଢ଼ ରହିବାକୁ ସେମାନେ ପରାମର୍ଶ ଦେଉଥିଲେ। ନିୟମର ଉଚିତ ପାଳନ ଓ ମନକୁ ଦୃଢ଼କରି ଶେଷରେ ଆମେ କରୋନାକୁ ପରାସ୍ତ କରିଥିଲୁ।’’
The post କରୋନା ଲଢ଼େଇରେ ଜିତିଲା ପରିବାର first appeared on Sambad.from କରୋନା | Sambad https://ift.tt/3hMUuR2
0 Comments