
ଭୁବନେଶ୍ବର : ଗ୍ରାମାଞ୍ଚଳ, ସହରାଞ୍ଚଳରେ ଥିବା ବିଭିନ୍ନ ବସ୍ତିରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା, ବହୁରୋଗରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଆସନ୍ତା ୨୪ତାରିଖରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ସର୍ଭେ ହେବ। ଏଥିରେ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ନିୟୋଜିତ ହେବେ। ପ୍ରତ୍ୟେକ ଦିନ ଜଣେ ଆଶା କର୍ମୀ ଅତି କମ୍ରେ ୨୦ଟି ଘର ସର୍ଭେ କରିବେ। ପ୍ରତି ମାସରେ ଗୋଟିଏ ଘରକୁ ନିଶ୍ଚିତ ଦୁଇ ଥର ଯିବେ। ଆଶା କର୍ମୀଙ୍କୁ ଏହି ସର୍ଭେ ପାଇଁ ମାସକୁ ଅତିରିକ୍ତ ହଜାରେ ଟଙ୍କା ମିଳିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଘରକୁ ଘର କିପରି ସର୍ଭେ ହେବ, କାହାର କ’ଣ ଦାୟିତ୍ବ ରହିବ ସେନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁ ନିୟମାବଳୀ ଜାରି ହୋଇଛି।
ଏହି ସର୍ଭେ ସମୟରେ ଆଶା କର୍ମୀମାନେ ଘରେ କାହାକୁ ଜ୍ବର ହୋଇଛି କି ନାହିଁ ପଚାରି ବୁଝିବେ, ସନ୍ଦେହ ହେଲେ ଥର୍ମାଲ୍ ସ୍କ୍ରିନିଂ କରିବେ। କାହାର କୋଭିଡ୍ ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷାର ବ୍ୟବସ୍ଥା କରିବେ, କରୋନା ଆକ୍ରାନ୍ତଙ୍କୁ ଔଷଧ ଯୋଗାଇବେ ଏବଂ ଅଧିକ ଗୁରୁତର ହେଲେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରାଇବେ, ସ୍ବାସ୍ଥ୍ୟ କାନ୍ଥରେ ବାର୍ତ୍ତା ଲେଖି କିମ୍ବା ଲିଫ୍ଲେଟ୍ ବାଣ୍ଟି ଲୋକଙ୍କୁ କରୋନା ନେଇ ସଚେତନ କରାଇବେ, ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରାଇବେ, ବିଶେଷକରି ଧାର୍ଯ୍ୟ ସମୟ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକା ନେବାର ବ୍ୟବସ୍ଥା କରାଇବେ, କାହାର ସ୍ବାବ୍ ସଂଗ୍ରହ ହେଲା, କାହାର ପଜିଟିଭ୍ ବାହାରିଲା, କାହାକୁ କେତେବେଳେ କ’ଣ ଔଷଧ ଦିଆଗଲା, କାହାକୁ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ତା’ର ସମସ୍ତ ତଥ୍ୟ ରେଜିଷ୍ଟରରେ ଲେଖିବେ, କେଉଁ ଲୋକମାନଙ୍କର ଡାଏବେଟିସ୍, ହାଇପରଟେନସନ୍ ଓ କୁପୋଷଣ ଅଛି ତା’ର ତାଲିକା ରଖିବେ, ଏନ୍ସିଡି ସ୍କ୍ରିନିଂ କରିବେ, ଡାଏରିଆ ନହେବା ପାଇଁ ପ୍ରତି ଘରେ ଗୋଟିଏ ଲେଖାଏଁ ଓଆରଏସ୍ ଦେବେ। ଯେଉଁଠି ୫ବର୍ଷରୁ କମ୍ ପିଲା ଥିବେ ସେଠାରେ ଆଉ ଏକ ଓଆରଏସ୍ ଦେବେ ଏବଂ ୧୪ଟି ଜିଙ୍କ୍ ଟାବଲେଟ୍ ଦେବେ। ଟିବି ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ। କୋଭିଡ୍ ନେଗେଟିଭ୍ ଥିଲେ ମ୍ୟାଲେରିଆ ଆକ୍ରାନ୍ତ କି ନୁହେଁ ପରୀକ୍ଷା କରିବେ, ସମ୍ବେଦନଶୀଳ ଲୋକ ଯେପରି ମାସ୍କ ପିନ୍ଧିବେ ଓ କରୋନା ନିୟମ ମାନିବେ ସେନେଇ ସଚେତନ କରିବେ। ଯେପରି ଗର୍ଭବତୀଙ୍କର ସୁରକ୍ଷିତ ପ୍ରସବ ହେବ, ଶିଶୁମାନେ ସୁରକ୍ଷିତ ରହିବେ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବେ।
ଆଶା କର୍ମୀଙ୍କୁ ଏହି ତିନି ମାସିଆ ସର୍ଭେ ପାଇଁ ମାସକୁ ହଜାରେ ଟଙ୍କା ଲେଖାଏଁ ମିଳିବାକୁ ଥିବାବେଳେ ଏନ୍ସିଡି ସ୍କ୍ରିନିଂ ପାଇଁ ୫୦୦ଟଙ୍କା ମିଳିବ। ସେହିପରି ୫ବର୍ଷରୁ କମ୍ ପିଲାଙ୍କୁ ଓଆରଏସ୍ ବାଣ୍ଟିଲେ ଗୋଟିଏ ପିଲା ପିଛା ଟଙ୍କାଟେ ମିଳିବ। ଟିବି ଆକ୍ରାନ୍ତଙ୍କୁ ଚିହ୍ନଟ କଲେ ୧୦୦ଟଙ୍କା, ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କଲେ ପ୍ରତି ୧୦ଜଣ ପର୍ଯ୍ୟନ୍ତ ଆକ୍ରାନ୍ତ ପାଇଁ ୧୫୦ଟଙ୍କା ଏବଂ ପ୍ରତି ଆକ୍ରାନ୍ତ ପିଛା ୭୫ଟଙ୍କା ମିଳିବ ବୋଲି କୁହାଯାଇଛି।
The post ୨୪ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ first appeared on Sambad.from କରୋନା | Sambad https://ift.tt/3bEOpCg
0 Comments