
ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁସାରିଛି ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଥିବା ବେଳେ ଦେଶର ସଂକ୍ରମଣ ସ୍ଥିତିରୁ ମଧ୍ୟ ତାହା ଏକପ୍ରକାର ସ୍ପଷ୍ଟ ହେଉଥିବା ଜଣାଯାଇଛି। ଗତ ୨୬ ଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସି ଆସିବା ଶୁଭ ସୂଚନା ଆଣିଛି।
ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଥିଲେ ମଧ୍ୟ କୋଭିଡ୍ରେ ଦୈନିକ ୪ ହଜାରରୁ ଅଧିକ ମୃତ୍ୟୁ ଘଟିବା ସହ ଦିନକୁ ଦିନ ତାହା ବଢ଼ିବା ମଧ୍ୟ ଭୂତାଣୁ ବିଶେଷଜ୍ଞ ଓ ଚିକିତ୍ସାବିତ୍ଙ୍କୁ ବ୍ୟସ୍ତବିବ୍ରତ କରିଛି। ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୮୧,୩୮୬ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୪,୩୮୯ ଜଣ ଥିବା ବେଳେ ତାହା ପଛକୁ ତାମିଲନାଡୁରେ ୩୩,୧୪୮ ଜଣ ରହିଛନ୍ତି। ସେହିପରି କର୍ଣ୍ଣାଟକରେ ୩୧,୫୩୧ ଜଣ, କେରଳରେ ୨୯,୭୦୪ ଜଣ ଓ ଆନ୍ଧ୍ରପ୍ରଦେଶରେ ୨୪,୧୭୧ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି। ଶନିବାରର ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୯,୬୫,୪୬୩ ହୋଇଛି।
ସେହିପରି ଏହି ଦିନକ ଭିତରେ ୩,୭୮,୭୪୧ ଜଣ ପୀଡ଼ିତ ସୁସ୍ଥ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୧୧,୭୪,୦୭୬ ଜଣ ଏହି ମହାମାରୀରୁ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ଆରୋଗ୍ୟ ଲାଭ କରିବା ଆଶ୍ବସ୍ତିର ବିଷୟ ହୋଇଛି। ତଥାପି ଦେଶରେ ଅଦ୍ୟାବଧି ୩୫,୧୬,୯୯୭ ଜଣ କୋଭିଡ୍ ପୀଡ଼ିତ ସକ୍ରିୟ ରହିଛନ୍ତି।
ଗତ ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୪,୧୦୬ ଜଣଙ୍କର କୋଭିଡ୍ରେ ମୃତ୍ୟୁ ହୋଇଛି। ସେଥିରୁ ମହାରାଷ୍ଟ୍ରରେ ସର୍ବାଧିକ ୯୭୪ ଜଣ ଓ ତାହା ପଛକୁ କର୍ଣ୍ଣାଟକରେ ୪୦୩ ଜଣ ରହିଛନ୍ତି। ଗତ ୧୦ ଦିନ ଭିତରେ ପ୍ରାୟ ୭ ଦିନ ଏପରି ଦୈନିକ ମୃତକଙ୍କ ସଂଖ୍ୟା ୪ ହଜାର ତଳକୁ ନ ଖସିବା ଚିନ୍ତାର କାରଣ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୨,୭୪,୩୯୦ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ସ୍ପଷ୍ଟ ହୋଇଛି।
ସେହିପରି ଗତକାଲି ରବିବାର ଯୋଗୁଁ ପୂର୍ବଦିନ ତୁଳନାରେ ପ୍ରାୟ ଅଢ଼େଇ ଲକ୍ଷ କମ୍ ନମୁନା ପରୀକ୍ଷଣ ହୋଇଛି। ଶନିବାର ୧୮,୩୨,୯୫୦ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ରବିବାର ୧୫,୭୩,୫୧୫ ଜଣ ପରୀକ୍ଷା କରାଇଛନ୍ତି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧,୬୪,୨୩,୬୫୮ଟି ନମୁନା ପରୀକ୍ଷା କରାସରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ତଥ୍ୟରୁ ଜଣାଯାଇଛି। ତେବେ ସାପ୍ତାହିକ ପଜିଟିଭିଟି ହାର ୧୮.୧୭ ପ୍ରତିଶତ ରହିଥିବା ବେଳେ ଜାତୀୟ ଆରୋଗ୍ୟ ହାର ୮୪.୮୧ ପ୍ରତିଶତ ଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି।
ସୋମବାର ସକାଳ ୭ଟା ସୁଦ୍ଧା ଦେଶରେ ମୋଟ ୧୮,୨୯,୨୬,୪୬୦ ଜଣ ହିତାଧିକାରୀଙ୍କୁ(ପ୍ରଥମ ଓ ଦ୍ବିତୀୟ ମାତ୍ରା ମିଶାଇ) କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
The post ୨୬ ଦିନ ପରେ ୩ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3eS48zI
0 Comments