ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ଏବେ ସାଂଘାତିକ ହେଲାଣି। ଗତ କିଛିଦିନ ହେଲା ପ୍ରତ୍ୟେକ ଶହେ ଜଣଙ୍କ ନମୁନା ପରୀକ୍ଷାରୁ ୫୦ ଜଣ କିମ୍ବା ଏଥିରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ପରିଲକ୍ଷିତ ହୋଇଛି। ଗତ ଶୁକ୍ରବାର ଦିନ ସଂକ୍ରମଣ ହାର ୫୭.୧ ପ୍ରତିଶତ ସହିତ ଦେଶରେ ସର୍ବାଧିକ ସଂକ୍ରମଣ ହେଉଥିବା ୧୦ଟି ଜିଲ୍ଲା ମଧ୍ୟରେ ସମ୍ବଲପୁରର ସ୍ଥାନ ରହିଥିଲା। ଶନିବାର ଦିନ ଏହି ହାର ୫୦.୩୩ ଥିବା ଜଣାପଡ଼ିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ରେକର୍ଡ ଭାଂଗିବାରେ ଲାଗିଛି। ଜିଲ୍ଲା ପ୍ରଶାସନର ଢିଲାପଣ ଯୋଗୁଁ ଆଜି ଏଭଳି ସ୍ଥିତିରେ ପହଞ୍ଚିଛି। କୋଭିଡ୍ ପରିଚାଳନାକୁ ନେଇ ଜନସାଧାରଣ ମନରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଖୋଦ୍ ରାଜ୍ୟର ଶାସକ ଦଳ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଗତକାଲି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା ସମୟରେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆରମ୍ଭରୁ ନମୁନା ପରୀକ୍ଷା ବୃଦ୍ଧି କରିବାକୁ ପରାମର୍ଶ ଦେଇ ଆସୁଛନ୍ତି। ମାତ୍ର, ସମ୍ବଲପୁର ଜିଲ୍ଲା‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେତେବେଳେ କରୋନାର ଦ୍ବିତୀୟ ଲହର ଆସିବା ଜଣାପଡ଼ିଲା, ସେତେବେଳେ ନମୁନା ପରୀକ୍ଷା ବଢ଼ାଇବା ବଦଳରେ ବହୁ ମାତ୍ରାରେ କମାଇ ଦିଆଗଲା। କେବଳ ଗ୍ରାମାଂଚଳ ନୁହେଁ, ଜିଲ୍ଲାସ୍ତରରୁ ବି ଏଭଳି ଅଭିଯୋଗ ଆସିଛି। ଥଣ୍ଡାଜ୍ବର, କାଶ ଆଦି ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକେ ସନ୍ଦେହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣ୍ଟିଜେନ୍/ଆର୍‌ଟିପିସିଆର୍‌ ପରୀକ୍ଷା କରାଇବାକୁ ଗଲେ, ସେମାନଙ୍କୁ ୩ ଦିନର ଔଷଧ ଦେଇ ଘରକୁ ପଠାଇ ଦିଆଯାଉଥିଲା। ଯଦି, ଔଷଧ ଖାଇବା ପରେ ଭଲ ନହେଲେ ପୁଣି ଡାକ୍ତରଖାନାକୁ ଆସି ଆଣ୍ଟିଜେନ୍/ଆର୍‌ଟିପିସିଆର୍‌ ପାଇଁ ନମୁନା ପରୀକ୍ଷା କରାଇବାକୁ କୁହାଯାଉଥିଲା। ସଂଗେ ସଂଗେ ପରୀକ୍ଷା କରାଯାଇଥିଲେ ଆକ୍ରାନ୍ତ ବ୍ୟକ୍ତି ଆଇସୋଲେସନ୍‌ରେ ରହିଥାନ୍ତେ, ଅନ୍ୟମାନଙ୍କୁ ଆଉ ସଂକ୍ରମିତ କରିପାରିନଥାନ୍ତେ। ଅନ୍ୟପକ୍ଷରେ କଣ୍ଟ୍ରାକ୍ଟ ଟ୍ରାସିଂ ବି ଠିକ୍ ଢଂଗରେ କରାଗଲା ନାହିଁ। ଫଳରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲା। ସ୍ଥିତି ଏହି ସ୍ତରକୁ ପହଂଚି ଯେ, ପ୍ରତିଦିନ ସମ୍ବଲପୁର ମହାନଗର ନିଗମ ଅଂଚଳର ଗଳି ଗଳିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗତ ବର୍ଷ କରୋନା ଗ୍ରାମାଂଚଳରେ ‌ସେତେଟା କ୍ଷତି କରିନଥିଲା। ଏଥର କିନ୍ତୁ, ଗାଁ ଗାଁକୁ କରୋନା ପଶିଗଲାଣି। କୁଚିଣ୍ଡା ଉପଖଣ୍ଡ ଅଂଚଳର ସ୍ଥିତି ଏବେ ଭୟଙ୍କର। ଗତ ବର୍ଷ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପ୍ରତିଦିନ ଶହେ ଜଣଙ୍କ ନମୁନା ପରୀକ୍ଷା ହେଉଥିଲା। ଏହା ବ୍ୟତୀତ ପଞ୍ଚାୟତ ଅଂଚଳରେ ମୋବାଇଲ ଭ୍ୟାନ୍ ବୁଲୁଥିଲା। ସ୍ବାସ୍ଥ୍ୟ ବିଭାଗର ଟିମ୍ ବୁଲି ବୁଲି ଲୋକଙ୍କ ନମୁନା ସଂଗ୍ରହ କରୁଥିଲା। ଗତ ବର୍ଷ ‌ଯେଉଁଠି ପ୍ରତିଦିନ ଶହେ ଜଣ ନମୁନା ପରୀକ୍ଷା କରାଯାଉଥିଲା, ଏଥର ସେଠାରେ ମାତ୍ର ୩୦ ଜଣଙ୍କ ମଧ୍ୟରେ ଏହା ସୀମିତ ରଖିଦିଆଗଲା। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ପରୀକ୍ଷା କରାଇନପାରି ବହୁଲୋକ ନିରାଶ ହୋଇ ଫେରି ଆସିବାକୁ ବାଧ୍ୟ ହେଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ତା’ ପରଦିନ ଆଗୁଆ ଯାଇ ପରୀକ୍ଷା କରାଉଥିବାବେଳେ ଅନ୍ୟମାନେ ଆଉ ଗଲେ ନାହିଁ। ଏହାକୁ ସଂକ୍ରମଣ ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।

ଅନ୍ୟ ପଟେ ରାଜ୍ୟ ସରକାରଙ୍କ କଟକଣା ସତ୍ତ୍ବେ କେତେକ ବସ୍‌ ରୁଟ୍ ବଦଳାଇ ପଶ୍ଚିମବଂଗ ଓ ସମ୍ବଲପୁର ମଧ୍ୟରେ ନିୟମିତ ବ୍ୟବଧାନରେ ଯାତାୟାତ କଲା। ଏହା ମଧ୍ୟ ସମ୍ବଲପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଥିବା ଲୋକ‌େ ଅଭିଯୋଗ କରୁଛନ୍ତି। ଏବେ ‘ନେଡ଼ି ଗୁଡ଼ କହୁଣୀକୁ ବହିଯିବା’ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି। ଗତ କିଛିଦିନ ହେଲା ନମୁନା ପରୀକ୍ଷା ବୃଦ୍ଧି କରାଯାଇଥିବା ବେଳେ ‘କଣ୍ଟ୍ରାକ୍ଟ ଟ୍ରାସିଂ’ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଉଛି। ହେଲେ ଏଥିପାଇଁ ଦାୟୀ କିଏ ? ସରକାରୀ ବାବୁମାନଙ୍କ ଅପରାଗତା ଓ ଦାୟିତ୍ବହୀନତାର ପରିଣାମ ଜନସାଧାରଣ କାହିଁକି ଭୋଗିବେ ? ବୋଲି ସଚେତନ ବ୍ୟକ୍ତି ପ୍ରଶ୍ନ କରୁଛନ୍ତି।

The post ସମ୍ବଲପୁରରେ ସ୍ଥିତି ସଂଗିନ: ପ୍ରତି ଶହେ ନମୁନା ପରୀକ୍ଷାରେ ଅଧାରୁ ଅଧିକ ପଜିଟିଭ୍‌, ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କିଏ ? first appeared on Sambad.

from କରୋନା | Sambad https://ift.tt/3hfr4uf