ନୂଆଦିଲ୍ଲୀ : ଭାରତରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର ଭୟାବହତା ପାଇଁ ବିଶେଷଜ୍ଞମାନେ ଦାୟୀ କରୁଥିବା ବି.୧.୬୧୭ ନାମକ ନୂତନ ପ୍ରଜାତିର କରୋନାଭୂତାଣୁ ବିରୋଧରେ ଆମେରିକୀୟ ଭେଷଜ କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ଉଚ୍ଚମାନର ଫଳପ୍ରଦତା ପ୍ରଦର୍ଶନ କରୁଛି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏଥି ସହିତ ଉକ୍ତ ଟିକା ୨ରୁ ୮ ଡିଗ୍ରି ସେଲ୍‌ସିଅସ୍‌ ତାପମାତ୍ରାରେ ମାସାଧିକ କାଳ ସୁରକ୍ଷିତ ରହିବା ସହ ଏହା ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ଟିକାକରଣ ପାଇଁ ନିରାପଦ ପ୍ରମାଣିତ ହୋଇଛି ବୋଲି ମଧ୍ୟ କମ୍ପାନି ସରକାରଙ୍କୁ ଜଣାଇଛି।

ଆଗାମୀ ଜୁଲାଇରୁ ଅକ୍ଟୋବର ମାସ ଭିତରେ ଭାରତକୁ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ଫାଇଜର କମ୍ପାନି ଆବଶ୍ୟକ ଅନୁମତି ପାଇବା ପାଇଁ ଆବେଦନ କରିଛି। ଏ ସମ୍ପର୍କରେ କମ୍ପାନିର ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୌର୍ଲା ଭାରତ ସରକାରଙ୍କ ସହ ଆଲୋଚନା କରିଛନ୍ତି। ତେବେ ସରକାର ଅନୁମୋଦନରେ କୋହଳ ନୀତି ଆପଣେଇବା ସହ ନ୍ୟାୟିକ କ୍ଷତିପୂରଣ ପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଲେ ହିଁ କମ୍ପାନି ଟିକା ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଛି।

ସୂଚନା ଥାଉକି, ଭାରତରେ ସମ୍ପ୍ରତି ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା କୋଭିସିଲ୍‌ଡ, କୋଭାକ୍ସିନ୍‌ ଓ ସ୍ପୁଟନିକ୍‌-ଭି ଆଦି ୩ ପ୍ରକାର ଟିକା ଭିତରୁ କାହାରିକୁ ବି ଏପରି ସୁରକ୍ଷା ସରକାର ଯୋଗାଇନାହାନ୍ତି। ଅପରପକ୍ଷେ, ଏହି ଟିକାଗୁଡ଼ିକ ଭିତରୁ କେହି ଗୋଟିଏ ବି ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ତେଣୁ ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ବିଶେଷ କରି ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଟିକାକରଣକୁ ନିଶ୍ଚିତ କରିବା ଲାଗି ସରକାର ଫାଇଜର ଟିକାକୁ ଆବଶ୍ୟକ ଅନୁମତି ଦେବାର ସମ୍ଭାବନା ଅଧିକ ବୋଲି ଆଲୋଚନା ହେଉଛି।

The post ଫାଇଜର ଟିକା ଭାରତରେ ଠାବ ଭୂତାଣୁ ବିରୋଧରେ କାମ କରୁଛି, ପିଲାଙ୍କ ପାଇଁ ଅନୁମୋଦନ ସମ୍ଭାବନା ଅଧିକ first appeared on Sambad.

from କରୋନା | Sambad https://ift.tt/34oLAkH