ବେଙ୍ଗାଲୁରୁ : ଅକ୍ସିଜେନ୍‌ ଅଭାବ ଜନିତ ସଙ୍କଟ ଥମିବାର ନାଁ ନେଉନି। କର୍ଣ୍ଣାଟକର ଚମରାଜନଗରରେ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ୨୪ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକ ସରକାର ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ୩ ଦିନ ମଧ୍ୟରେ ଏସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଚମରାଜନଗର ଉପ କମିସନର ଡ ଏମ୍ଆର ରବି କହିଛନ୍ତି, ୨୪ ଜଣଙ୍କ ମଧ୍ୟରୁ କେତେଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି ତାହା କହିହେବନି। ତେବେ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ୧୨ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଛି। ହସ୍ପିଟାଲ୍‌ କର୍ମଚାରୀମାନେ କହିଛନ୍ତି, ଅକ୍ସିଜେନ୍‌ ସରିଯିବା ନେଇ ରବିବାର ସନ୍ଧ୍ୟାରୁ ସତର୍କ କରାଯାଇଥିଲେ ମଧ୍ୟ ଠିକ୍‌ ସମୟରେ ଅକ୍ସିଜେନ୍‌ ନମିଳିବାରୁ ଏତେଗୁଡ଼ିଏ ଜୀବନହାନି ହେଲା। ଉକ୍ତ ଘଟଣା ଜିଲ୍ଲା ତଥା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଚମରାଜନଗର ଘଟଣାକୁ ବିରୋଧୀ‌ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୂର୍ଯେୱାଲା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି। ସେ କହିଛନ୍ତି, ୟେଦୁରପ୍ପା ସରକାରଙ୍କ ବିଫଳତା ଯୋଗୁଁ ଏଭଳି ହତ୍ୟା ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଦେବା ଉଚିତ୍‌।

ମଧ୍ୟପ୍ରଦେଶରେ ୪ ମୃତ
ସେହିଭଳି ମଧ୍ୟପ୍ରଦେଶର ଏକ ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବରୁ ୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରୱାନି ଜିଲ୍ଲା ହସ୍ପିଟାଲରେ ଏଭଳି ଅଘଟଣ ଘଟିଛି ବୋଲି ମୃତ ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ଖବରକୁ ଜିଲ୍ଲା ପ୍ରଶାସନ ସ୍ବୀକାର କରିନାହିଁ। ବରୱାନିର ଅତିରିକ୍ତ ଜିଲ୍ଲାପାଳ ଲୋକେଶ କୁମାର ଜଙ୍ଗେଦ୍‌ କହିଛନ୍ତି, ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରୁ ଅକ୍ସିଜେନ୍ ପ୍ରବାହ କମିବା ସଂପର୍କିତ ଅଭିଯୋଗ ମିଳିଥିଲା। ମେକାନିକ୍ ତୁରନ୍ତ ଏହି ସମସ୍ୟାର ସମାଧାନ କରି ସେଣ୍ଟ୍ରାଲ ପାଇପ ଲାଇନରେ ଅକ୍ସିଜେନ୍ ପ୍ରବାହକୁ ସ୍ବାଭାବିକ କରିଥିଲେ। ଜଣେ ବ୍ୟକ୍ତି ହୃଦ୍‌ଘାତରୁ ମରିଛନ୍ତି ବୋଲି ସେ କହିଛନ୍ତି।

The post ଅକ୍ସିଜେନ୍‌ ଅଭାବରୁ ୨୪ ମୃତ first appeared on Sambad.

from କରୋନା | Sambad https://ift.tt/3vS6NPR