ନୂଆଦିଲ୍ଲୀ: ଦିଲ୍ଲୀକୁ ଟିକା ଯୋଗାଇ ଦେବା ପାଇଁ ରୁଷୀୟ ଟିକା ‘ସ୍ପୁଟ୍‌ନିକ୍‌ ଭି’ର ନିର୍ମାତା ରାଜି ହୋଇଛନ୍ତି, କିନ୍ତୁ ଟିକାର ପରିମାଣ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ବୋଲି ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ୬୨୦ ‘ବ୍ଲାକ୍‌ ଫଙ୍ଗସ୍‌’ ବା ‘ମ୍ୟୁକୋରମାଇକୋସିସ୍’ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। କିନ୍ତୁ, ଏହି ବେମାରୀର ଚିକିତ୍ସା ନିମନ୍ତେ ଆବଶ୍ୟକ ଇଞ୍ଜେକ୍ସନ୍‌ ‘ଆମ୍ଫୋଟେରିସିନ୍‌-ବି’ ଅଭାବ ପଡ଼ିଛି।

Image Courtesy of The Tribune India

ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଲେ, ‘ସ୍ପୁଟ୍‌ନିକ୍‌ ଭି’ ନିର୍ମାତାଙ୍କ ସହ ଆଲୋଚନା ଚାଲିଛି। ସେମାନେ ଆମକୁ ଟିକା ଦେବେ, କିନ୍ତୁ, କେତେ ପରିମାଣର ଦେବେ, ତହା ସ୍ଥିର ହୋଇନାହିଁ। ମଙ୍ଗଳବାର ଦିନ ମଧ୍ୟ ଆମର ଅଧିକାରୀମାନେ ଓ ଟିକା ନିର୍ମାତାଙ୍କ ପ୍ରତିନିଧିମାନେ ଭେଟାଭେଟି ହୋଇଥିଲେ।

ଦ୍ବାରକାସ୍ଥିତ ‘ଭେଗାସ୍‌ ମଲ୍‌’ରେ ଦିଲ୍ଲୀର ପ୍ରଥମ ‘ଡ୍ରାଇଭ୍-‌ଥ୍ରୁ ଭ୍ୟାକ୍ସିନେସନ୍ ସେଣ୍ଟର୍’ର ଶୁଭ ଉଦ୍‌ଘାଟନ କରି ସେ ମଧ୍ୟ କହିଥିଲେ ଯେ, ‘ମଡର୍ଣ୍ଣା’ ଏବଂ ‘ଫାଇଜର୍‌’ ନିର୍ମିତ ଟିକା ପିଲାମାନଙ୍କ ପାଇଁ ଉତ୍ତମ। ପିଲାମାନଙ୍କୁ ଟିକା ଦେବା ନିମନ୍ତେ କେନ୍ଦ୍ର ସରକାର ସେ ସବୁ ଖରିଦ କରିବା ଉଚିତ।

ଶୁକ୍ରବାର ଦିନ ଛତ୍ରଶାଳରେ ମଧ୍ୟ ଅନ୍ୟ ଏକ ସରକାରୀ ‘ଡ୍ରାଇଭ୍-‌ଥ୍ରୁ ଭ୍ୟାକ୍ସିନେସନ୍ ସେଣ୍ଟର୍’ ଖୋଲିବ ବୋଲି ମଧ୍ୟ ସେ କହିଛନ୍ତି।

The post ଦିଲ୍ଲୀକୁ ଟିକା ଯୋଗାଇ ଦେବା ପାଇଁ ‘ସ୍ପୁଟ୍‌ନିକ୍‌ ଭି’ ନିର୍ମାତା ରାଜି: କେଜ୍ରିୱାଲ୍‌ first appeared on Sambad.

from କରୋନା | Sambad https://ift.tt/3fMm8eb