ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସଙ୍କଟ ପାଇଁ ଡାକ୍ତରୀ ପତ୍ରିକା ‘ଲାନ୍‌ସେଟ୍‌’ର ସମ୍ପାଦକୀୟରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇଛି। କେନ୍ଦ୍ର ସରକାର ‘ସୁପର୍‌ସ୍ପ୍ରେଡର୍‌’ ‌ବୋଲି କୁହାଯାଉଥିବା ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେବା ସହ ଟିକାକରଣ ଅଭିଯାନ ମଧ୍ୟ ମନ୍ଥର କରିଦେଲେ ବୋଲି ଉପରୋକ୍ତ ପତ୍ରିକାର ସମ୍ପାଦକୀୟରେ ଉଲ୍ଲେଖ ଅଛି।

ଏଥିରେ ଉଲ୍ଲେଖ ଅଛି ଯେ, ଦେଶରେ ମାତ୍ର ୨୧% ଜନତା ଭୂତାଣୁ ସଂକ୍ରମିତ ହୋଇଛନ୍ତି ବୋଲି  ‘ଆଇସିଏମ୍‌ଆର୍‌’ କରିଥିବା ‘ସିରୋ-ସର୍ଭିଲେନ୍ସ’ରୁ ଜଣାପଡ଼ିବା ସତ୍ତ୍ବେ ସରକାର ଏଭଳି ମନୋଭାବ ପୋଷଣ କରାଇଲେ, ସତେ ଅବା ଭାରତ ‘କୋଭିଡ୍‌-୧୯’କୁ ପରାହତ କରିଛି।

Image Courtesy of The Indian Express

‘ସୁପର୍‌ସ୍ପ୍ରେଡର୍‌’ କାର୍ଯ୍ୟକ୍ରମରେ ବିପଦର ଆଶଙ୍କା ଅଛି ବୋଲି ସତର୍କ କରାଯିବା ସତ୍ତ୍ବେ ସରକାର ଧାର୍ମିକ ଅନୁଷ୍ଠାନ କରିବାକୁ ଅନୁମତି ଦେଲେ, ବିଶାଳ ରାଜନୈତିକ ପ୍ରଚାର ପଟୁଆର ମଧ୍ୟ ବାହାରିଲା। ଏଥିରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରୟୋଜନ କଟକଣା ମଧ୍ୟ ରକ୍ଷା କରାଯାଇ ନ ଥିଲା। କୋଭିଡ୍‌-୧୯ ଅପସରି ଗଲାଣି ବୋଲି ଯେଉଁ ବାର୍ତ୍ତା ଦିଆଗଲା, ତଦ୍ଦ୍ବାରା ଟିକାକରଣ ଅଭିଯାନ ଆରମ୍ଭ ମଧ୍ୟ ମନ୍ଥର ହୋଇଗଲା। ସେତେବେଳକୁ ମାତ୍ର ୨% ଲୋକଙ୍କୁ ଟିକା ଦିଆଯାଇଥିଲା। ଏହାଛଡ଼ା, ଜାତୀୟସ୍ତରରେ ମଧ୍ୟ ଭାରତର ଟିକାକରଣ ଯୋଜନା କେନ୍ଦ୍ରୀଭୂତ ହୋଇ ରହିଲାନାହିଁ ବୋଲି ଏହି ସମ୍ପାଦକୀୟରେ ପ୍ରକାଶ ପାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦ୍ବିତୀୟ ପ୍ରବାହର ଆଶଙ୍କା ସଙ୍କ୍ରାନ୍ତରେ ଥିବା କେତେକ ଚେତାବନୀକୁ ସରକାର ଅବଜ୍ଞା କଲେ। ମାର୍ଚ ପ୍ରାରମ୍ଭରେ ଦ୍ବିତୀୟ ପ୍ରବାହର ସଂକ୍ରମଣ ବଢୁଥିବା ବେଳେ ଭାରତୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଘୋଷଣା କଲେ, ମହାମାରୀର ଅନ୍ତିମ ପର୍ଯ୍ୟାୟ ଉପସ୍ଥିତ ହୋଇଛି। କେତେ ମାସ ଧରି ସଂକ୍ରମଣ ସଂଖ୍ୟା ସ୍ବଳ୍ପ ରହିବାରୁ ସରକାର ଏଭଳି ମନୋଭାବ ପୋଷଣ କରାଇଲେ, ସତେ ଅବା ଭାରତ ‘କୋଭିଡ୍‌-୧୯’କୁ ପରାହତ କରିଛି। ଭାରତରେ ‘ହର୍ଡ ଇମ୍ୟୁନିଟି’ ହୋଇଛି ବୋଲି କେତେକ ‘ମଡେଲ୍‌’ ମିଛରେ ଦର୍ଶାଇବାଦ୍ବାରା ମହାମାରୀ ମୁକାବିଲା ପ୍ରସ୍ତୁତି ମଧ୍ୟ ସ୍ଥିର ହୋଇ ରହିଗଲା।

The post କୋଭିଡ୍‌-୧୯ ସଙ୍କଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଲାନ୍‌ସେଟ୍‌’ first appeared on Sambad.

from କରୋନା | Sambad https://ift.tt/3vTihCE