
ନୂଆଦିଲ୍ଲୀ: ମଫସଲ ଅଞ୍ଚଳରେ କରୋନାଭାଇରସ୍ ସଂକ୍ରମଣ ରୋକିବା ଲାଗି ରବିବାର ଦିନ କେନ୍ଦ୍ର ସରକାର ନୂଆ ମାର୍ଗଦର୍ଶିକା ବା ଗାଇଡ୍ଲାଇନ୍ ଜାରି କରିବା ସହ କହିଛନ୍ତି ଯେ, ସମ୍ପ୍ରତି ଉପନଗର, ମଫସଲ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମଧ୍ୟ କ୍ରମଶଃ ସଂକ୍ରମଣ ପ୍ରବେଶ କଲାଣି।
ଗାଇଡ୍ଲାଇନ୍ ଉନ୍ମୋଚନ କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଣ ଚାଲୁ ରଖିବା ସହ ଉପରୋକ୍ତ ଅଞ୍ଚଳରେ ପ୍ରାଥମିକ ସ୍ତରରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବାରେ ସମ୍ପ୍ରଦାୟମାନଙ୍କୁ ସମର୍ଥ କରାଇବା ଆବଶ୍ୟକ।
ଗାଇଡ୍ଲାଇନ୍ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ‘ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୋଷକତତ୍ତ୍ବ କମିଟି’ ସହାୟତାରେ ‘ଆଶା’ ପ୍ରତ୍ୟେକ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସର୍ଦି ଭଳି ଅସୁସ୍ଥତା/ଅତି ଉତ୍କଟ ଶ୍ବାସନଳୀ ସଂକ୍ରମଣ ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବା ଉଚିତ।
ଟେଲିପରାମର୍ଶ ଦ୍ବାରା ସଂକ୍ରମଣର ଜଟିଳତା ଚିହ୍ନଟ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥିବା ଏବଂ ଅମ୍ଳଜାନ ପରିମାଣ ହ୍ରାସ ପାଇଥିବା ରୋଗୀମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁପାରିସ କରିବା ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଏହି ଗାଇଡ୍ଲାଇନ୍ରେ ନିର୍ଦେଶ ଦିଆଯାଇଛି। ଏଥିସହ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଙ୍ଗ୍’ କରିବା ଲାଗି ତାଲିମ ଦିଆଯିବା ଆବଶ୍ୟକ। ସବୁ ଜନସ୍ବାସ୍ଥ୍ୟ କେନ୍ଦ୍ରରେ କିଟ୍ ରଖାଯିବା ଉଚିତ ବୋଲି ମଧ୍ୟ ଏହି ଗାଇଡ୍ଲାଇନ୍ରେ ଉଲ୍ଲେଖ ଅଛି।
ପରୀକ୍ଷା ଫଳାଫଳ ବାହାରିବା ପର୍ଯ୍ୟନ୍ତ ସମ୍ପୃକ୍ତ ରୋଗୀମାନଙ୍କୁ ଏକାନ୍ତ ବାସରେ ରହିବାକୁ ପରାମର୍ଶ ଦିଆଯିବା ଉଚିତ। ଲକ୍ଷଣ ନ ଥାଇ ମଧ୍ୟ କୋଭିଡ୍ ରୋଗୀମାନଙ୍କଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯିବା ସହ ‘ଆଇସିଏମ୍ଆର୍’ ନିୟମାନୁସାରେ ପରୀକ୍ଷା କରାଇବା ଆବଶ୍ୟକ।
ଏହା ବ୍ୟତିରେକେ, ‘ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲେନ୍ସ୍ ପ୍ରୋଗ୍ରାମ୍’ ଗାଇଡ୍ଲାଇନ୍ସ୍ ଆଧାରରେ ‘କଣ୍ଟାକ୍ଟ୍ ଟ୍ରେସିଙ୍ଗ୍’ ଉପରେ ଧ୍ୟାନ ଦେବାକୁ ଆଜି ରିଲିଜ୍ ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି। ଯେଉଁମାନେ ପଜିଟିଭ୍ ବାହାରିବେ ସେମାନେ ମନ୍ତ୍ରାଳୟଦ୍ବାରା ଜାରି ନିୟମାବଳୀ ଅନୁସାରେ ‘ହୋମ୍-କ୍ବାରେଣ୍ଟିନ୍’ରେ ରହିବେ।
ଅମ୍ଳଜାନ ସ୍ତର ଉପରେ ଧ୍ୟାନ ରଖିବା ଉପରେ ଗୁରୁତ୍ବାରୋପ କରି ମନ୍ତ୍ରାଳୟ ‘ଭିଏଚ୍ଏସ୍ଏନ୍ସି’କୁ ନିର୍ଦେଶ ଦେଇଛି ଯେ, ସମ୍ବଳ ବିନିଯୋଗ କରି ସ୍ଥାନୀୟ ‘ପିଆର୍ଆଇ’ ଜରିଆରେ ସେଥିପାଇଁ ଆବଶ୍ୟକ ଉପକରଣଗୁଡ଼ିକର ବ୍ୟବସ୍ଥା କରାଯିବା ଉଚିତ। ମଫସଲ ଅଞ୍ଚଳର ପରିବାରମାନଙ୍କୁ ଥର୍ମୋମିଟର୍ ଏବଂ ପଲ୍ସ୍ ଅକ୍ସିମିଟର୍ ଉଧାର ଦେବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା କର୍ମୀ/ସ୍ବେଚ୍ଛାସେବୀ/ଶିକ୍ଷକମାନଙ୍କୁ ଉପଯୋଗ କରାଯିବା ଉଚିତ।
୫୦୦ ଏମ୍ଜି ପାରାସିଟାମଲ୍, ଆଇଭର୍ମେକ୍ଟିନ୍, କଫ୍ ସିରପ୍, ମଲ୍ଟିଭିଟାମିନ୍ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ‘ହୋମ୍ଆଇସୋଲେସନ୍ କିଟ୍’ ଯୋଗାଇ ଦିଆଯିବ।
The post ସଂକ୍ରମଣ ରୋକିବାକୁ ମଫସଲ ଅଞ୍ଚଳ ପାଇଁ କୋଭିଡ୍-୧୯ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର first appeared on Sambad.from କରୋନା | Sambad https://ift.tt/3hHuzKz
0 Comments