ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏସ୍‌ ଅଧିକାରୀ ଦ୍ବିଜବର କାନୁନଗୋଙ୍କର କରୋନାରେ ପରଲୋକ ଘଟିଛି। ସ୍ବର୍ଗତ କାନୁନ୍‌ଗୋ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କୋଭିଡ୍‌ କଟକଣା ଅନୁଯାୟୀ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ସୌମେନ୍ଦ୍ର କାନୁନ୍‌ଗୋ, ଝିଅ ସ୍ମିତା ଓ ପୁତୁରା ତଥା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ କାନୁନଗୋ ଶବ ସତ୍କାର ବେଳେ ଉପସ୍ଥିତ ଥିଲେ।

ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରେ ଦ୍ବିଜବର କାନୁନ୍‌ଗୋ ଅନୁଗୁଳର ପ୍ରଥମ ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଭୁବନେଶ୍ବରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରଶାସନ ବିଭାଗର ମାହାଲ ନିର୍ଦ୍ଦେଶକ ଆଦି ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ହୋଇଥିଲେ। ରାଜଧାନୀ କଲେଜ୍‌, କ୍ୟାପିଟାଲ ଆଇନ୍‌ କଲେଜ୍‌, ଏକାମ୍ର କଲେଜ୍‌, କମଳା ନେହେରୁ ମହିଳା କଲେଜ୍‌ ଆଦି ଶିକ୍ଷାନୁଷ୍ଠାନ ପାଇଁ ସରକାରୀ ଜମି ଯୋଗାଣ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଅବସର ପରେ ସେ ଓକିଲାତି କରୁଥିଲେ। କଟକ ଜିଲ୍ଲାର ନିଆଳି ବ୍ଲକ୍‌ ଅନ୍ତର୍ଗତ ମାଧବ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ବନ୍ଧୁବତ୍ସଳ ତଥା ପରୋପକାରୀ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ତାଙ୍କର ଆଦୃତ୍ତି ଥିଲା।

The post ଅବସରପ୍ରାପ୍ତ ଆଇଏଏସ୍‌ ଦ୍ବିଜବର କାନୁନ୍‌ଗୋଙ୍କର କରୋନାରେ ପରଲୋକ first appeared on Sambad.

from କରୋନା | Sambad https://ift.tt/33KmFrn