
ବାରିପଦା : ମୟୂରଭଞ୍ଜରେ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ। ଜିଲ୍ଳା ସଦରମହକୁମା ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଏହି ଦୁଇଟି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ୧୩ହଜାର ଲିଟର କ୍ଷମତା ବିଶିଷ୍ଟ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ) ପ୍ଲାଣ୍ଟ ପିଆରଏମରେ ପ୍ରତିଷ୍ଠା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଲଏମଓ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ଅକ୍ସିଜେନ ପରିଚାଳନା ଟାସ୍କଫୋର୍ସ ଆଜି କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପିଆରଏମର କୋଭିଡ ଆଇଶୋଲେଶଏ ୱାର୍ଡ ସହିତ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ବିଭାଗ ସହିତ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟା ପାଇଁ ଫଳପ୍ରଦ ହେବ।
ସେହିପରି ମୟୂରଭଞ୍ଜରେ ଭବିଷ୍ୟତର ଆବଶ୍ୟକତା ଏବଂ ସୁବିଧା ପାଇଁ ଟାସ୍କଫୋର୍ସ ପିଆରଏମରେ ୧ ହଜାର ଏଲପିଏମ କ୍ଷମତା ବିଶିଷ୍ଟ ଏକ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଉଭୟ ଅକ୍ସିଜେନ ପ୍ଲାଣ୍ଟ ସର୍ବାଧିକ ୧୨ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ଵବି। ବାତ୍ୟା ୟାସର ସ୍ଥିତି ସମୀକ୍ଷା କରିବାକୁ ଆଜି ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଏପରି ସୂଚନା ଦେଇଛନ୍ତି ଵବି। ଜିଲ୍ଲାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ନେଇ ଜୋରଦାର ଦାବି ଉଠିଛି। ପ୍ରଥମେ ଜିଲ୍ଲାର ଦୁଇ ବିଜେପି ବିଧାୟକ ଗଣେଶ ରାମ ସିଂଖୁଣ୍ଟିଆ ଏବଂ ସନାତନ ବିଜୁଳି ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ପତ୍ର ଲେଖିଥିଲେ।ଏହାପରେ ଜିଲ୍ଲାର ସାମାଜିକ ସଂଗଠନ ଭଂଜସେନା ପକ୍ଷରୁ ମଧ୍ୟ ଏନେଇ ଦାବି ଉପସ୍ଥାପନ କରାଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ନେଇ ମଞ୍ଜୁରୀ ମିଳିଥିଲା। ମାତ୍ର ମୟୂରଭଞ୍ଜ ପାଇଁ କେବଳ ପ୍ରତିଶ୍ରୁତି ମିଳିଥିଲା। ତେଣୁ ରାଜ୍ୟ ସରକାର ଆଗତୁରା ଏପରି ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏବଂ ବିଜେପିକୁ ଏକପ୍ରକାର ଚେକ ଦେଇଥିବା ଚର୍ଚ୍ଚା ହେଉଛି। ଜିଲ୍ଳା ଦାୟିତ୍ବ ରେ ଥିବା ବବିଙ୍କ ଉଦ୍ୟମ କାରଣରୁ ଏହା ସମ୍ଭବ ହୋଇଥିବା ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଉଛି। ମୟୂରଭଞ୍ଜର ବିଭିନ୍ନ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ସବୁବେଳେ ତତ୍ପର ବୋଲି ଵବି ପ୍ରକାଶ କରିଛନ୍ତି। ତେବେ ବିଜେପି ବିଧାୟକ ଙ୍କ ପକ୍ଷରୁ ପ୍ରଥମେ ଉଠିଥିବା ଦାବିକୁ ରାଜ୍ୟ ସରକାର ପୂରଣ କରିଥିବାରୁ ଜିଲ୍ଲାରେ ବିଜେପିର ଥିବା ୬ ବିଧାୟକ ଏବଂ ଜଣେ ସାଂସଦଙ୍କ ପାଇଁ ଅଡୁଆ ବଢିଥିବା ଚର୍ଚ୍ଚା ହେଉଛି।
The post ମୟୂରଭଞ୍ଜରେ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ first appeared on Sambad.from କରୋନା | Sambad https://ift.tt/3oVY9gL
0 Comments