
କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ରାଙ୍କି କୋଭିଡ ହସ୍ପିଟାଲ୍ ବାହାରେ ଶବ ପଡ଼ିବା ଘଟଣାର ପ୍ରାଶାସନିକ ତଦନ୍ତ ଆରମ୍ଭ ହୋଇଛି। ଏହି କୋଭିଡ ହସ୍ପିଟାଲ ଦାୟିତ୍ବରେ ଥିବା ମ୍ୟାନେଜରଙ୍କୁ ହଟାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକ୍ରେ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଭିଡିଓ ଭାଇରାଲ କରିଥିବା ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଜିଲ୍ଲାପାଳ ଆଶିଷ ଠାକ୍ରେ, ସିଡିଏମ୍ଓ ଡାକ୍ତର ଅଶୋକ ଦାସ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ଠାକ୍ରେ କହିଥିଲେ, ଗତକାଲି କୋଭିଡ ହସ୍ପିଟାଲ ବାହାରେ ଶବ ପଡ଼ିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଘଟଣା କୌଣସି ପରିସ୍ଥିତିରେ ଘଟିବା କଥା ନୁହେଁ। ଏହି ଜଣାପଡ଼ିବା ପରେ ତୁରନ୍ତ ସେ, ଉପଜିଲ୍ଲାପାଳ, ଏସ୍ଡିପିଓ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଅନୁସାରେ, ତେଲକୋଇ ବ୍ଲକ୍ ଭୀମକାଣ୍ଡ ପଞ୍ଚାୟତ ଗୋଧୂଳି ଗ୍ରାମର ହୃଷୀକେଶ ସାହୁ ଅପରାହ୍ଣ ୪.୫୩ରେ ଏକ ସରକାରୀ ଆମ୍ବୁଲାନ୍ସ ଯୋଗେ କୋଭିଡ୍ ହସ୍ପିଟାଲକୁ ଆସିଥିଲେ। ସେଠାରେ ଡାକ୍ତରମାନେ ତାଙ୍କ ପରୀକ୍ଷା କରିବା ପରେ ହ୍ବିଲଚେୟାରରେ ବେଡ୍କୁ ନେଇଥିଲେ। ୪.୫୯ରେ ସେ ଶିଡ଼ିରେ ଚାଲିଚାଲି ଆସି ପାଚେରି ଡେଇଁ ପଳାଇଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି। ସୁରକ୍ଷା ଜନିତ ତ୍ରୁଟିପାଇଁ ତୁରନ୍ତ ହସ୍ପିଟାଲ ଦାୟିତ୍ବରେ ଥିବା ମ୍ୟାନେଜରଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ଏଥିପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
The post କୋଭିଡ ହସ୍ପିଟାଲ ବାହାରେ ଶବ ପଡ଼ିବା ଘଟଣା: ତଦନ୍ତ ଆରମ୍ଭ, ହଟିଲେ ହସ୍ପିଟାଲ ମ୍ୟାନେଜର first appeared on Sambad.from କରୋନା | Sambad https://ift.tt/3bmioPb
0 Comments