କଟକ/ମାଛଗାଁ : କରୋନାର କରାଳ ରୂପ କେତେ ଯେ କରୁଣ ହୋଇପାରେ ତାହାର ନିଚ୍ଛକ ଉଦାହରଣ ପୁଣି ଥରେ ସାମନାକୁ ଆସିଛି। ତିନି ଦିନରେ ଆଗ ପଛ ହୋଇ ଗୋଟିଏ ପରିବାରର ତିନି ଜଣ ଆରପାରିକୁ ଚାଲି ଯାଇଥିବା ବେଳେ ଶେଷକୃତ୍ୟ ବେଳେ ଛିଡା ହେବାକୁ ବି କେହି ନାହିଁ। ସ୍ବେଚ୍ଛ‌ାସେବୀଙ୍କ ଦାୟିତ୍ବରେ ୩ ଜଣଙ୍କ ଶେଷକୃତ୍ୟ ସମ୍ଭବ ହୋଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୈଠିପୁର ଅଞ୍ଚଳର ଏକ ପରିବାର ଉପରେ ଏଭଳି ଚଡ଼କ ପଡିଥିବା ବେଳେ ପରିବାରର ବାପା, ପୁଅ ଓ ବୋହୂ ସବୁ ଦିନ ପାଇଁ ଆଖି ବୁଜିଛନ୍ତି।

କରୋନା ମହାମାରୀର ଏଭଳି କରାଳ ରୂପର ଶିକାର ହୋଇଛନ୍ତି ସଂପୃକ୍ତ ଅଞ୍ଚଳର ଏକଦା ଜଣେ ପ୍ରତିଷ୍ଠିତ ତଥା ମୁରବୀ ଶ୍ରେଣୀୟ ବ୍ୟକ୍ତିଭାବେ ଜଣାଶୁଣା ସ୍ବର୍ଗତ ଉଦୟନାଥ ବିଶ୍ବାଳଙ୍କ ପରିବାର। ରାଜ୍ୟର ବହୁ ବରିଷ୍ଠ ନେତାଙ୍କ ଘନିଷ୍ଠ ସହଯୋଗୀ ଥିବା ଉଦୟନାଥ ୪୦ ବର୍ଷ ଧରି ନିଜ ପଂଚାୟତର ଅପ୍ରତିଦ୍ବନ୍ଦ୍ବୀ ସରପଂଚ ଭାବେ କାର୍ଯ୍ୟ କରିଥିଲେ। ଲୋକପ୍ରିୟ ଥିଲେ। ତାଙ୍କ ପରଲୋକ ପରେ ତାଙ୍କ ପୁଅ ଉପେନ୍ଦ୍ର ବିଶ୍ବାଳ ବି ସରପଂଚ ହୋଇଥିଲେ। ବିଜେଡିର ଆଗଧାଡିର ନେତା ଭାବେ ଅଞ୍ଚଳରେ ଜଣାଶୁଣା ଉପେନ୍ଦ୍ର ଓ ତାଙ୍କ ପରିବାର ଗଲା ୧୦ ଦିନ ତଳେ ହଠାତ କରୋନା ସଂକ୍ରମଣର ଶିକାର ହେଲେ। ଉପେନ୍ଦ୍ର (୭୦) ସଂକ୍ରମଣର ଶିକାର ହୋଇ ପାରାଦୀପ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେଲେ। ପରେ ତାଙ୍କ ବୋହୂ ରଶ୍ମିରେଖା ବିଶ୍ବାଳ (୨୬) ସଂକ୍ରମିତ ହୋଇ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କ ସହିତ ଆସିଥିଲେ ତାଙ୍କ ସ୍ବାମୀ ତଥା ଉପେନ୍ଦ୍ରଙ୍କ ବଡ ପୁଅ ଅଭିଷେକ। ରଶ୍ମିରେଖା ଗୁରୁତର ଅବସ୍ଥାରେ ଗଲା ୨୬ ତାରିଖ ବିଳମ୍ବିତ ରାତିରେ କଟକ ବଡ ମେଡିକାଲରେ ପ୍ରାଣ ହରାଇଲେ। ସେତେବେଳକୁ ତାଙ୍କ ସ୍ବାମୀ ଅଭିଷେକ ବି ସଂକ୍ରମିତ ହେବା ସହିତ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଏସସିବିରେ ଓ ପରେ କଟକର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଗଲା। କିନ୍ତୁ ଅଭିଷେକ ୨୮ ତାରିଖ ଅପରାହ୍ନରେ ସବୁ ଦିନ ପାଇଁ ଆଖି ବୁଜି ଦେଲେ। ଏଭଳି ସ୍ଥିତିରେ ପାରାଦୀପ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉପେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ଅଣା ଯାଉଥିବା ବେଳେ ସଂଧ୍ୟାରେ ତାଙ୍କର ବି ବାଟରେ ମୃତ୍ୟୁ ଘଟିଲା। ଗଲା ୨୭ ତାରିଖରେ ରଶ୍ମିରେଖା, ୨୮ରେ ଅଭିଷେକ ଓ ଆଜି ଉପେନ୍ଦ୍ରଙ୍କ ଚିତା ଜଳିଲା ସତୀଚୌରାରେ। ଏବେ ପରିବାର କହିଲେ କେବଳ ଉପେନ୍ଦ୍ରଙ୍କ ପତ୍ନୀ ରେଣୁବାଳା, ଅବିବାହିତ ସାନପୁଅ ଅନୁପମ ଆଉ ମୃତ ଅଭିଷେକ-ରଶ୍ମିରେଖାଙ୍କ ୬ ବର୍ଷର ପୁଅ। ଏଭଳି ଖବର ଜାଣିବା ପରେ ରେଣୁବାଳାଙ୍କ ହୋସ୍ ରହୁନାହିଁ। ଅନୁପମ ବି କରୋନା ସଂକ୍ରମିତ।

ସତ‌ୀଚୌରାରେ ଏହି ତିନି ଜଣଙ୍କ ଶବ ସତ୍କାର ସାବିତ୍ରୀ ଜନସେବା ସଂସ୍ଥାର ସ୍ବେଚ୍ଛାସେବୀ କରିଥିବା ବେଳେ ସଂସ୍ଥାର ମୁଖ୍ୟ ବିଭୂତି ରାୟ କହିବା ଅନୁଯାୟୀ ଏଭଳି ଅନେକ ଘଟଣା ଘଟୁଛି ସତ କିନ୍ତୁ ୩ ଦିନରେ ପରିବାରର ୩ ଜଣ ଚାଲି ଯିବା ଆଉ ଶେଷକୃତ୍ୟରେ କେହି ଜଣେ ବି ନ ରହି ପାରିବା ଭଳି ଘଟଣା ଅତ୍ୟନ୍ତ ହୃଦୟବିଦାରକ। ମୃତକଙ୍କ ସଂପର୍କୀୟ ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ କହିବା ଅନୁଯାୟୀ ଏଭଳି ଏକ ଖବର ଯିଏ ବି ଶୁଣୁଛି, ତା ଆଖିରେ ଲୁହ ଆସି ଯାଉଛି। ମାତ୍ର ଦଶ ଦିନ ଭିତରେ ଗୋଟିଏ ପରିବାର ଛାରଖାର ହେଇଗଲା। ସଂପୂର୍ଣ୍ଣ ଉଜୁଡ଼ି ଗଲା। ଏଭଳି ଘଟଣା ଆଉ କାହା ଭାଗ୍ୟରେ ନ ଘଟୁ। ଏହି ଘଟଣାକୁ ନେଇ ବାଲିକୁଦା-ଏରସମା ବିଧାୟକ ତଥା ମନ୍ତ୍ରୀ ରଘୁ ନନ୍ଦନ ଦାସ, ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

The post ପରିବାର ଉଜାଡ଼ି ଦେଲା କରୋନା: ୩ ଦିନରେ ଚାଲିଗଲେ ବାପ-ପୁଅ-ବୋହୂ first appeared on Sambad.

from କରୋନା | Sambad https://ift.tt/3uym7jp