
ମସ୍କୋ: ଏକ ଡୋଜ୍ବିଶିଷ୍ଟ କୋଭିଡ୍-୧୯ ଟିକା ‘ସ୍ପୁଟ୍ନିକ୍ ଲାଇଟ୍’ର ବ୍ୟବହାର ନିମନ୍ତେ ରୁଷ୍ ଅନୁମତି ଦେଇଥିବା କଥା ଗୁରୁବାର ଦିନ ‘ରଷିଆନ୍ ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍’ (ଆର୍ଡିଆଇଏଫ୍) କହିଛି। ଏହି ସ୍ବୀକୃତି ଯୋଗୁଁ ସଂକ୍ରମଣ ହାର ଅଧିକ ଥିବା ଦେଶମାନଙ୍କୁ କୋଭିଡ୍-୧୯ ନିରୋଧୀ ଟିକା ଯୋଗାଇବା ସମ୍ଭବପର ହେବ ବୋଲି ଆଶା କରାଯାଉଛି।
ମସ୍କୋର ‘ଗାମାଲେୟା ଇନ୍ଷ୍ଟିଚ୍ୟୁଟ୍’ ବିକଶିତ କରିଥିବା ଏହି ସ୍ବଳ୍ପ କ୍ଷମତାବିଶିଷ୍ଟ ଟିକା କୋଭିଡ୍-୧୯ ବିପକ୍ଷରେ ୭୯.୪% ଫଳପ୍ରଦ ବୋଲି ‘ଆର୍ଡିଆଇଏଫ୍’ କହିଛି। ଡୋଜ୍ପିଛା ୧୦ ଡଲାର୍ ମୂଲ୍ୟ ଥିବା ଏହି ଟିକା ରପ୍ତାନି ପାଇଁ ଚିହ୍ନିତ କରାଯାଇଛି। ଏହି ଟିକା ନେବାଦ୍ବାରା ବହୁସଂଖ୍ୟକ ଲୋକଙ୍କ ଶରୀରରେ ସାମୟିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
ଦ୍ରୁତ ତଥା ଉତ୍କଟ କୋଭିଡ୍-୧୯ ସଂକ୍ରମିତ ହୋଇ ତୁରନ୍ତ ଆଶ୍ବସ୍ତି ଚାହୁଁଥିବା ଦେଶମାନଙ୍କୁ ପଠାଇବା ନିମନ୍ତେ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏକ ବିବୃତିରେ ‘ଆର୍ଡିଆଇଏଫ୍’ କହିଛି, ୨୦୨୦ ଡିସେମ୍ବର ୫ ରୁ ୨୦୨୧ ଏପ୍ରିଲ୍ ୧୫ ମଧ୍ୟରେ ରୁଷ୍ର ଗଣଟିକାକରଣର ଅଂଶବିଶେଷ ଭାବେ ଏକ ଡୋଜ୍ବିଶିଷ୍ଟ ‘ସ୍ପୁଟ୍ନିକ୍ ଲାଇଟ୍’ ଟିକା ଦିଆଯାଇଥିଲା। ଦିଆଯିବାର ୨୮ ଦିନ ପରେ ଟିକାର ଫଳପ୍ରଦତା ବିଶ୍ଳେଷଣ କରାଯାଇଥିଲା। ଏହି ଟିକାର ଫଳପ୍ରଦତା କ୍ଷମତା ୭୯.୪% ବୋଲି ଅନୁଶୀଳନରୁ ଜଣାପଡ଼ିଛି।
‘ଆର୍ଡିଆଇଏଫ୍’ ଆହୁରି ମଧ୍ୟ କହିଛି ଯେ, ରୁଷ୍, ସଂଯୁକ୍ତ ଆରବ ଏମିରେଟ୍ସ୍, ଘାନା ଏବଂ ଅନ୍ୟ ଦେଶମାନଙ୍କର ପ୍ରାୟ ୭୦୦୦ ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ଚାଲିଛି। ଏହି ମାସର ଶେଷ ଆଡ଼କୁ ତାହାର ମଧ୍ୟବର୍ତ୍ତୀକାଳୀନ ଫଳାଫଳ ମିଳିବ ବୋଲି ମନେହୁଏ।
ସୂଚନାଯୋଗ୍ୟ, ପ୍ରାୟ ୮ ନିୟୁତ ରୁଷ୍ବାସୀଙ୍କୁ ଦୁଇ ଡୋଜ୍ବିଶିଷ୍ଟ ‘ସ୍ପୁଟ୍ନିକ୍-୫’ ଟିକା ଦିଆଯାଇଛି ଏବଂ ଏହା ୯୭.୬% ଫଳପ୍ରଦ ହେଉଥିବା କୁହାଯାଉଛି।
The post ୭୯.୪% ଫଳପ୍ରଦ ହେଉଥିବା ଏକ ଡୋଜ୍ବିଶିଷ୍ଟ କୋଭିଡ୍-୧୯ ଟିକା ‘ସ୍ପୁଟ୍ନିକ୍ ଲାଇଟ୍’ ବ୍ୟବହାର ପାଇଁ ଅନୁମତି ଦେଲା ରୁଷ୍ first appeared on Sambad.from କରୋନା | Sambad https://ift.tt/3hloLGr
0 Comments