ବଜାରରେ ନକଲି ଅକ୍ସିମିଟର

ପୁରୁଣା ଭୁବନେଶ୍ବର : କରୋନାର ଭୟଙ୍କର ଦ୍ବିତୀୟ ଲହର ସମୟରେ କଳାବଜାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୋକଙ୍କ ବିପଦ ବେଳେ ବି ସେମାନଙ୍କୁ ଶୋଷିବା ପାଇଁ ଅସାଧୁ ବ୍ୟବସାୟୀମାନେ ଜରୁରୀ ଔଷଧପତ୍ର ଓ ଆବଶ୍ୟକ ମେଡିକାଲ ଉପକରଣ କଳାବଜାରରେ ବିକ୍ରି କରୁଛନ୍ତି। ତେବେ କେବଳ ଚଢ଼ା ଦାମ୍‌ ନୁହେଁ, ନକଲି ଜିନିଷ ବିକି ଲୋକଙ୍କୁ ଠକିବାକୁ ବି ପଛାଉ ନାହାନ୍ତି। ପୂର୍ବରୁ ଅକ୍ସିମିଟର ଦାମ୍ ୮୦୦ ଟଙ୍କାରୁ ହଜାରେ ଟଙ୍କା ପଡ଼ୁଥିଲା। କିନ୍ତୁ ଏବେ ବଜାରରେ ଉଭାନ୍‌ ହୋଇଯାଇଛି। ଯେଉଁଠି ମିଳୁଛି ଦାମ୍‌ ୨୫୦୦ଟଙ୍କାରୁ ୪୦୦୦ଟଙ୍କା ପର୍ଯ୍ୟନ୍ତ ପଡ଼ୁଛି।

ଜଣାଶୁଣା ରକ୍ତଦାତା ଗୌରୀ ପ୍ରସାଦ ଦାଶଙ୍କ ଅଭିଯୋଗ ଅନୁସା‌‌ରେ, ଏବେ ବହୁ ଦୋକାନରେ ଅକ୍ସିମିଟର ନାହିଁ। କିନ୍ତୁ କଳାବଜାରରେ ୪ଗୁଣା ଦାମ୍‌ ଦେଲେ ମିଳୁଛି। ଗୃହ ସଙ୍ଗରୋଧରେ ରହୁଥିବା ଆକ୍ରାନ୍ତମାନେ ବିକଳ ହୋଇ ଏହାକୁ କିଣିବାକୁ ଇଚ୍ଛା କରୁଥିବାରୁ କଳାବଜାରୀମାନେ ଶୋଷଣ କରୁଛନ୍ତି। ତେବେ ବଡ଼ ସମସ୍ୟା ହେଉଛି ନକଲି ଅକ୍ସିମିଟର। ଦାନ୍ତଘସା ବ୍ରସ ଓ ଆଙ୍ଗୁଠିରେ ଲଗାଇଲେ ଅକ୍ସିଜେନ ମାତ୍ରା ସମାନ ଦେଖାଉଥିବା ନକଲି ଅକ୍ସିମିଟରର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଏଭଳି ନକଲି ଉପକରଣ ବିକି ଅସାଧୁ ବେପାରୀମାନେ ସାଂଘାତିକ ଭାବେ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି। ସରକାର ତୁରନ୍ତ ଏ ଦିଗରେ ବିହିତ ପଦ‌କ୍ଷେପ ଗ୍ରହଣ କରିବା ଉଚିତ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

The post ବଜାରରେ ନକଲି ଅକ୍ସିମିଟର first appeared on Sambad.

from କରୋନା | Sambad https://ift.tt/2RgnJRf

Post a Comment

0 Comments