
ନୂଆଦିଲ୍ଲୀ: କୋଭିଡ୍-୧୯ ଚିକିତ୍ସା ବାବଦକୁ ୨ ଲକ୍ଷରୁ ଅଧିକ ନଗଦ ଅର୍ଥ ଗ୍ରହଣ କରିବା ପାଇଁ ଶୁକ୍ରବାର ଦିନ ଆୟକର ବିଭାଗ ଭାରତରେ ଥିବା ସମସ୍ତ ଡାକ୍ତରଖାନା ଓ ନର୍ସିଂହୋମ୍ଗୁଡ଼ିକୁ ଅନୁମତି ଦେଇଛି। ଏପ୍ରିଲ୍ ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସେମାନେ ଏଭଳି ପ୍ରାପ୍ୟ ଅର୍ଥ ଗ୍ରହଣ କରିପାରିବେ।
ଏହି ନୂତନ ନିୟମ ଜାରି କରି ଆୟକର ବିଭାଗ କହିଛି, ଏଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ବା କୋଭିଡ୍ କେୟାର୍ ସେଣ୍ଟର୍ମାନଙ୍କୁ ରୋଗୀ ଓ ଅର୍ଥ ଦେଉଥିବା ବ୍ୟକ୍ତିଙ୍କର ‘ପାନ୍’ କିଂବା ‘ଆଧାର’ ନମ୍ବର ରଖିବାକୁ ପଡ଼ିବ। ଏହାଛଡ଼ା ରୋଗୀ ଓ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ସମ୍ପର୍କ କଥା ମଧ୍ୟ ଅବଗତ ହେବାକୁ ପଡ଼ିବ।
ଏ ସଂକ୍ରାନ୍ତରେ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ରୋଗୀମାନଙ୍କୁ କୋଭିଡ୍-୧୯ ଚିକିତ୍ସା ଯୋଗାଉ ଥିବା ହସ୍ପିଟାଲ୍, ଡିସ୍ପେନ୍ସରି, ନର୍ସିଙ୍ଗ୍ ହୋମ୍, କୋଭିଡ୍ କେୟାର୍ ସେଣ୍ଟର୍ କିଂବା ସେହି ପ୍ରକାରର ଅନ୍ୟାନ୍ୟ ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ‘ଆୟକର ଆଇନର ଧାରା ୨୬୯ଏସ୍ଟି’ ପ୍ରଯୁଜ୍ୟ। ଗୋଟିଏ ଦିନରେ, ଗୋଟିଏ ଥରରେ କିଂବା ଗୋଟିଏ ‘କେସ୍’ ନିମନ୍ତେ ଥରକୁ ଥର ହେଉ ୨ ଲକ୍ଷ ବା ତା’ଠାରୁ ଅଧିକ ନଗଦ ଅର୍ଥ ଗ୍ରହଣ ଉପରେ ଏହି ଧାରା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକ ଉପରେ କଟକଣା ଲାଗୁ କରିଥିଲା।
କଳାଟଙ୍କା କାରବାର ରୋକିବା ଲାଗି ୨୦୧୭ରେ କେନ୍ଦ୍ର ସରକାର ଏହି କଟକଣା ଜାରି କରିଥିଲେ। କିନ୍ତୁ, ସମ୍ପ୍ରତି ଲୋକେ ଦୁର୍ଦ୍ଦଶା ଭୋଗୁ ଥିବାରୁ ଏହି କଟକଣା କୋହଳ କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
The post କୋଭିଡ୍-୧୯ ଚିକିତ୍ସା ବାବଦକୁ ୨ ଲକ୍ଷରୁ ଅଧିକ ନଗଦ ଅର୍ଥ ଗ୍ରହଣ କରିବା ପାଇଁ ଡାକ୍ତରଖାନା ଓ ନର୍ସିଂହୋମ୍କୁ ଅନୁମତି ଦେଲେ ସରକାର first appeared on Sambad.from କରୋନା | Sambad https://ift.tt/2R6coDh
0 Comments