
ଭୁବନେଶ୍ବର : କରୋନା ରୋଗୀଙ୍କଠାରେ ଦେଖିବାକୁ ମିଳୁଥିବା ଘାତକ ବ୍ଲାକ୍ ଫଙ୍ଗସ୍ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶାର ଜଣେ ବ୍ୟକ୍ତିଙ୍କଠାରେ ଏହା ଦେଖିବାକୁ ମିଳିଛି। କଳିଙ୍ଗନଗର ଘାଟିକିଆରେ ରହୁଥିବା ଯାଜପୁର ଜିଲ୍ଲାର ଜଣେ ୭୧ବର୍ଷୀୟ ବ୍ୟକ୍ତି ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ କରୋନା ଲଢ଼େଇ ସମୟରେ ବ୍ଲାକ ଫଙ୍ଗସ୍ ଘଟଣା ସାମ୍ନାକୁ ଆସିବା ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି। ଯାଜପୁରର ଏହି ବ୍ୟକ୍ତି ଜଣକ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲେ। ୧୮ତାରିଖରେ ତାଙ୍କର ସ୍ବାବ୍ ନିଆ ଯାଇଥିବା ବେଳେ ୧୯ତାରିଖରେ ପଜିଟିଭ୍ ଚିହ୍ନଟ ହେବା ସହିତ ଘରେ ପୃଥକବାସରେ ରହିଥିଲେ। ତାଙ୍କର ଅନିୟନ୍ତ୍ରିତ ମଧୁମେହ ରହିଛି। ହେଲେ ଚଳିତମାସ ୮ତାରିଖରେ ତାଙ୍କ ଆଖି ଫୁଲି ଯିବା ସହିତ ନାକରୁ କଳା ପାଣି ବାହାରିଥିଲା। ଆଜି ତାଙ୍କୁ ରାଜଧାନୀର ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ନାକ ଏଣ୍ଡୋସ୍କୋପିରେ ତାଙ୍କର କଳା ଟର୍ବିନେଟ୍ ଜମା ରହିଥିବା ନଜରକୁ ଆସିଥିଲା।
ଆଜି ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଥିଲା। ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର ରୋଗୀ ଆଡମିଟ୍ ଥିବା ହସ୍ପିଟାଲକୁ ପରିଦର୍ଶନ କରିବା ସହିତ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଜଣକ ଗତ କିଛିଦିନ ହେବ ଘରେ କୁଲର ଲଗାଇ ଶୋଉଥିଲେ। ହେଲେ କୁଲରରେ ଥିବା ପାଣି ଦୀର୍ଘଦିନ ହେବ ବଦଳା ଯାଇ ନ ଥିଲା। କୁଲରରେ ଲାଗିଥିବା ବେଣା ଚେରରୁ ଫଙ୍ଗସ୍ ସୃଷ୍ଟି ହେବା ସହିତ ତାଙ୍କ ଶରୀରକୁ ଆସିଥିବା କୁହାଯାଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣାକୁ କୋଭିଡ୍ ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ ଦେଖା ଦେଉଥିବା ଘଟଣା ସହିତ ଯୋଡ଼ିବା କଷ୍ଟକର। ମୁଖ୍ୟତଃ ମାଟିରେ କାର୍ଯ୍ୟ କରୁଥିବା ଓ ଅନିୟନ୍ତ୍ରିତ ମଧୁମେହ ରୋଗ ଥିବା ଲୋକଙ୍କଠାରେ ବ୍ଲାକ୍ ଫଙ୍ଗସ୍ ଦେଖିବାକୁ ମିଳିଥାଏ। ଯେହେତୁ ରୋଗୀ ଜଣକ କୋଭିଡ୍ ହସ୍ପିଟାଲରେ ଆଡମିଟ୍ ହୋଇ ନ ଥିଲେ ଓ କୁଲର ବ୍ୟବହାର କରୁଥିଲେ। ତେଣୁ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ଜଣକଙ୍କଠାରେ ଯଦି ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଥାନ୍ତା ତା’ହେଲେ ଓଡ଼ିଶାରେ ମୁମ୍ବାଇ ଓ ଅନ୍ୟ ରାଜ୍ୟ ଭଳି ଏହାକୁ ବିଚାରକୁ ନିଆଯାଇ ଥାନ୍ତା। ଯେହେତୁ ରୋଗୀ ଜଣକ ଘରେ ଚିକିତ୍ସିତ ହେଉଥିଲେ ତେଣୁ ଓଡ଼ିଶାରେ ଏହା ବ୍ୟାପୁଛି କହିବା ଠିକ୍ ହେବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।
ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ହସ୍ପିଟାଲରେ ବ୍ୟବହୃତ ଯନ୍ତ୍ରପାତି ଯେପରି ସଂକ୍ରମିତ ନ ହେବ ସେଥିପାଇଁ ସଂକ୍ରମଣ ନିୟନ୍ତ୍ରଣ ପ୍ରୋଟୋକଲକୁ ଅନୁକରଣ କରିବା ଲାଗି କୁହାଯାଇଛି। ଯଦି ଏଭଳି ଘଟଣା ନଜରକୁ ଆସେ ତା’ହେଲେ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ସୂଚନା ଦେବାକୁ ନିର୍ଦେଶ ଦିଆଯାଇଛି। ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି, ବ୍ଲାକ୍ ଫଙ୍ଗସ୍ ସବୁବେଳ ପାଇଁ ପରିବେଶରେ ରହିଛି। ବିଶେଷକରି ଯେଉଁମାନଙ୍କର ଅନିୟନ୍ତ୍ରିତ ମଧୁମେହ ରହିଛି ଓ ଓଦା ମାଟିରେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ସମ୍ବେଦନଶୀଳ। ପ୍ରଥମ ଲହରରେ ମଧ୍ୟ ଦିଲ୍ଲୀରେ ଗଙ୍ଗାରାମ ହସ୍ପିଟାଲରେ ଏଭଳି ଘଟଣା ନଜରକୁ ଆସିଥିଲା। ହେଲେ ସେତେବେଳେ ଏହା ଅଧିକ ମାତ୍ରାରେ ଲୋକଲୋଚନକୁ ଆସି ନ ଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କୁ ଯଦି ଅଧିକ ପରିମାଣର ଷ୍ଟେରୋଏଡ ଦିଆଯାଏ ଓ ସଂପୃକ୍ତ ବ୍ୟକ୍ତି ଜଣକ ଅଧିକ ଦିନ ଆଇସିୟୁରେ ରୁହନ୍ତି ତାହେଲେ ବ୍ଲାକ୍ ଫଙ୍ଗସ୍ ହେବାର ଅଧିକ ଆଶଙ୍କା ରହିଛି। ପ୍ରଥମେ ଏହା ନାକରେ ଦେଖାଯିବା ସହିତ ପରବର୍ତୀ ଆଖି, ମସ୍ତସ୍କ ଓ ଅନ୍ୟ ଅଙ୍ଗକୁ ସଂକ୍ରମିତ କରିଥାଏ। ଆଇସିୟୁରେ ଚିକିତ୍ସା ହେବା ସମୟରେ ରୋଗୀଙ୍କୁ ଦିଆଯାଉଥିବା ଅକ୍ସିଜେନ୍ରେ ଜରିଆରେ ଯଦି ପାଣି ଶରୀର ଭିତରକୁ ଯାଏ ତାହେଲେ ବ୍ଲାକ ଫଙ୍ଗସ୍ ସୃଷ୍ଟି ହୋଇଥାଏ। ତେଣୁ କୋଭିଡ୍ ରୋଗୀଙ୍କୁ ମନଇଚ୍ଛା ଷ୍ଟେରୋଏଡ ଦେବା ଉଚିତ୍ ନୁହେଁ ବୋଲି ଡା. ମିଶ୍ର କହିଛନ୍ତି।
The post ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ first appeared on Sambad.from କରୋନା | Sambad https://ift.tt/2R1GmbG
0 Comments