
ୱାସିଂଟନ୍: ଟିକା ଡୋଜ୍ ସଂପୂର୍ଣ୍ଣ କରିଥିବା ବ୍ୟକ୍ତିମାନେ ଆଉ ମାସ୍କ୍ ପିନ୍ଧିବା ଅନାବଶ୍ୟକ ବୋଲି ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ର ସଦ୍ୟତମ ମାର୍ଗଦର୍ଶିକାକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶଂସା କରିବା ସହ ଟିକା ଡୋଜ୍ ଶେଷ କରି ନ ଥିବା ଲୋକେ ମାସ୍କ୍ ପିନ୍ଧିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି।
ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଅଳ୍ପ କିଛି ସମୟ ତଳେ ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ (ସିଡିସି) ଘୋଷଣା କରିଛି ଯେ, ଟିକା ସମ୍ପୂର୍ଣ୍ଣ କରିଥିବା ଲୋକେ ଆଉ ମାସ୍କ୍ ପିନ୍ଧିବା ଅନାବଶ୍ୟକ। ଉଭୟ ଘର ଓ ବାହାର ପାଇଁ ଏହି ପରାମର୍ଶ ପ୍ରଯୁଜ୍ୟ। ମୋ ମତରେ ଏଇଟା ଅତି ଉନ୍ନତ ପରିସ୍ଥିତି। ଆଜି ଦିନଟି ଶୁଭଙ୍କର। ଏତେ ସଂଖ୍ୟକ ଆମେରିକୀୟଙ୍କୁ ଏତେ ଜଲ୍ଦି ଟିକା ଦିଆଯାଇ ପାରିଥିବାରୁ ଏଭଳି ଅସମ୍ଭବ ସଫଳତା ହାସଲ ସମ୍ଭବ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଗତ ୧୧୪ ଦିନ ହେବ ଆମର ଟିକାକରଣ ଅଭିଯାନ ବିଶ୍ବରେ ଅଗ୍ରଣୀ ହୋଇ ରହିଆସିଛି। ଅନେକଙ୍କ କଠିନ ଶ୍ରମ ବଳରେ ଏହି ସଫଳତା ହାସଲ କରାଯାଇଛି। ଯଥା ସମ୍ଭବ ଅଧିକ ଆମେରିକୀୟଙ୍କ ବାହୁରେ ଟିକା ଦେବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିବା ବୈଜ୍ଞାନିକ ଏବଂ ଗବେଷକ, ଔଷଧ କମ୍ପାନି, ନ୍ୟାସ୍ନାଲ୍ ଗାର୍ଡ, ଆମେରିକୀୟ ସେନା, ଏଫ୍ଇଏମ୍ଏ, ଦେଶର ଗଭର୍ଣ୍ଣର୍, ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟମାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇଛି।
କିନ୍ତୁ, ଯେଉଁମାନେ ଏଯାବତ୍ ଟିକା ନେଇ ନାହାନ୍ତି ବା ଟିକାର ଡୋଜ୍ ସମ୍ପୂର୍ଣ୍ଣ କରି ନାହାନ୍ତି, ସେମାନେ ମାସ୍କ୍ ପରିଧାନ କରିବା ବାଞ୍ଛନୀୟ ବୋଲି ରାଷ୍ଟ୍ରପତି ବାଇଡେନ୍ ସତର୍କ କରାଇ ଦେଇଛନ୍ତି।
The post ଟିକା ଡୋଜ୍ ସମ୍ପୂର୍ଣ୍ଣ କରିଥିଲେ ମାସ୍କ୍ ପିନ୍ଧିବା ଅନାବଶ୍ୟକ: ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ first appeared on Sambad.from କରୋନା | Sambad https://ift.tt/3w19AWT
0 Comments