
ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତ୍ରୀରେ ସୁପ୍ରିମ୍ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରତି କୋଭିଡ୍ ପରିସ୍ଥିତି ସମ୍ବନ୍ଧରେ କେତେଗୁଡ଼ିଏ ନିର୍ଦେଶାବଳୀ ଜାରି କରି କହିଛନ୍ତି ଯେ, ସ୍ଥାନୀୟ ଆବାସିକ ପ୍ରମାଣ କିଂବା ପରିଚୟ ପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିଂବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ।
ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରିବା ଲାଗି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଜାତୀୟ ଯୋଜନାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଅନୁସରଣ କରିବେ। ଫଳତଃ, ସ୍ଥାନୀୟ ଆବାସିକ ପ୍ରମାଣ ଓ ପରିଚୟ ପତ୍ର ନ ଥିଲେ ବି କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଏବଂ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯାଇ ପାରିବ ନାହିଁ।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟସରକାରମାନଙ୍କ ସହଯୋଗରେ ଅକ୍ସିଜେନ୍ର ଏକ ‘ବଫର୍ ଷ୍ଟକ୍’ ସୃଷ୍ଟି କରିବା ଉଚିତ। ଫଳରେ ଆଗାମୀ ଦିନରେ କୌଣସି ସଙ୍କଟ ଦେଖା ଦେଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ସବୁ ଆଡ଼କୁ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରହିବ। ଏହାଛଡ଼ା, ଜରୁରୀକାଳୀନ ଅକ୍ସିଜେନ୍ ଷ୍ଟକ୍ଗୁଡ଼ିକର ଅବସ୍ଥିତି ବିକେନ୍ଦ୍ରିକରଣ କରାଯିବା ଆବଶ୍ୟକ।
ଏଥିସହ ଦିଲ୍ଲୀରେ ନିଅଣ୍ଟ ହେଉଥିବା ଅକ୍ସିଜେନ୍ ଯୋଗାଣ ସମସ୍ୟା ଦୁଇ ଦିନ ମଧ୍ୟରେ ସମାଧାନ କରିବା ଲାଗି ସୁନିଶ୍ଚିତ ହେବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
The post କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ: ସ୍ଥାନୀୟ ଆବାସିକ ପ୍ରମାଣ ନ ଥିଲେ ମଧ୍ୟ କୌଣିସ ରୋଗୀଙ୍କୁ ଚିକିତ୍ସା ଓ ଔଷଧପତ୍ରରୁ ବଞ୍ଚିତ କରାଯିବ ନାହିଁ first appeared on Sambad.from କରୋନା | Sambad https://ift.tt/2POiGa4
0 Comments