ନୂଆଦିଲ୍ଲୀ: କୋଭିଡ୍‌-୧୯ ନିରୋଧୀ ଟିକା ନେବା ପରେ ଉପୁଜୁଥିବା ପାର୍ଶ୍ୱ ପ୍ରତିକ୍ରିୟା ସବୁର ଚିକିତ୍ସା ନିମନ୍ତେ ଖୁବ୍‌ ଶୀଘ୍ର ସରକାର ମାର୍ଗଦର୍ଶିକା ଜାରି କରିବେ ବୋଲି ଆଶା କରାଯାଉଛି। ରକ୍ତ ଜମାଟ ବାନ୍ଧିବା ଭଳି ବିରଳ ତଥା ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଓ ଅସ୍ୱାଭାବିକ ଲକ୍ଷଣ ସବୁ ଚିହ୍ନଟ କରି ସେ ସବୁର ଚିକିତ୍ସା ନିମନ୍ତେ ଏହି ମାର୍ଗଦର୍ଶିକା ଡାକ୍ତର ଓ ଟିକା ନେଇଥିବା ବ୍ୟକ୍ତିମାନଙ୍କୁ ସହାୟକ ହେବ।

ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ୍‌-୧୯ ଟିକା ଦିଆଯିବା ପରେ କେତେକ ଦେଶ ଏ ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଅଭିଯୋଗ କରିଛନ୍ତି।

ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ଟିକା ଦିଆଯିବା ପରବର୍ତ୍ତୀ ‘ସାଙ୍ଘାତିକ ଓ ଭୀଷଣ’ ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ସମୀକ୍ଷା ମଧ୍ୟ କରାଯାଇଛି। ୟୁରୋପ୍‌ରେ ଏ ପ୍ରକାରର ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା ‘ଗୁଣସୂତ୍ର’ଜନିତ ବୋଲି ରିପୋର୍ଟ ଆସୁଥିବା କଥା ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Image Courtesy of Medical News Today

ଭାରତରେ ଟିକା ଦିଆଯିବା ପରବର୍ତ୍ତୀ ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା ବା ‘ଏଇଏଫ୍‌ଆଇ’ର ଜାତୀୟ କମିଟିରେ ଅଛନ୍ତି ଡାକ୍ତର, ଗବେଷକ ଏବଂ ଟିକା ବିଶେଷଜ୍ଞ। କୋଭିଡ୍‌-୧୯ ଟିକା ନେବା ପରେ ‘ସାଙ୍ଘାତିକ ଓ ଭୀଷଣ’ ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା ରିପୋର୍ଟ ଆସିଥିବା ୭୦୦ ମାମଲାକୁ ଏହି କମିଟି ପୁନଃ ସମୀକ୍ଷା କରୁଛି। ଏହାର ଫଳାଫଳ ଭିତ୍ତିରେ ପ୍ରସ୍ତୁତ କରାଯିବାକୁ ଥିବା ମାର୍ଗଦର୍ଶିକା ଏ ସପ୍ତାହରେ ପ୍ରକାଶ ପାଇପାରେ।

‘ଏମ୍‌ସ୍‌’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଟିକା ନେବା ପରେ ଭାରତରେ ‘ଥ୍ରୋମ୍ବୋସାଇଟୋପେନିଆ’ ମାମଲା ଖୁବ୍‌ କମ୍‌ ରହିବ। ଭାରତ ଏବଂ ଏସୀୟ ଦେଶମାନଙ୍କ ତୁଳନାରେ ପାଶ୍ଚାତ୍ୟ ଦେଶମାନଙ୍କରେ ଟିକା ସଂକ୍ରାନ୍ତ ପାର୍ଶ୍ୱ ପ୍ରତିକ୍ରିୟା ଖୁବ୍‌ ବେଶୀ। ତେଣୁ ପାର୍ଶ୍ୱ ପ୍ରତିକ୍ରିୟା ଚିକିତ୍ସା ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରିବା କଷ୍ଟସାଧ୍ୟ ନୁହେଁ।

The post ଟିକା ନେବା ପରେ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାର ଚିକିତ୍ସା ଲାଗି ମାର୍ଗଦର୍ଶିକା ଜାରି କରିବେ ସରକାର first appeared on Sambad.

from କରୋନା | Sambad https://ift.tt/3dVWe6F