ଭୁବନେଶ୍ବର : ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏ ସମୟରେ ରାଜ୍ୟରେ ଦୈନିକ ୧୫ରୁ ୨୦ଜଣ କ‌ରୋନା ରୋଗୀଙ୍କ ମୃତ୍ୟୁ ହୋଇପାରେ। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୦ ହଜାର ପାଖାପାଖି ଛୁଇଁବା ବିଚିତ୍ର ନୁହେଁ। ରାଜ୍ୟର କରୋନା ସ୍ଥିତିକୁ ନେଇ ଏଭଳି ପୂର୍ବାନୁମାନ କରିଛି ଆଇଆଇଟି କାନପୁରର ‘ସୂତ୍ର’ ମଡେଲ। ଯାହାକି ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ଏକପ୍ରକାର ଆହ୍ବାନ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ ଏବେ ଦୈନିକ ୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମାତ୍ର ଶୀର୍ଷରେ ପହଞ୍ଚିବା ସମୟରେ ଓଡ଼ିଶାରେ ଦୈନିକ ୮ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବେ। ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ୨/୩ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହାପରେ ସଂକ୍ରମଣ ଧୀରେ ଧୀରେ କମିବାକୁ ଆରମ୍ଭ କରିବ। ଜୁଲାଇ ବେଳକୁ ରାଜ୍ୟରେ ଫେବ୍ରୁଆରି ଭଳି ସ୍ଥିତି ପହଞ୍ଚି ଯାଇପାରେ। ଆଇଆଇଟି କାନପୁରର ଏହି ‘ସୂତ୍ର’ ମଡେଲ ପ୍ରସ୍ତୁତ କରିଥିବା ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ‘ସମ୍ବାଦ’କୁ କହିଛନ୍ତି, ଆମେ ଯେଉଁ ମଡେଲ ପ୍ରସ୍ତୁତ କରିଛୁ ତାହା ଓଡ଼ିଶାର ଦୈନିକ ସଂକ୍ରମଣ ସହିତ ଏକପ୍ରକାର ଖାପ ଖାଉଛି। ଏବେ ଓଡ଼ିଶାରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାକୁ ଅନୁଶୀଳନ କଲେ ଆସନ୍ତା ମେ’ ୧ରୁ ୫ତାରିଖ ଭିତରେ ସଂକ୍ରମଣ ଶୀର୍ଷକୁ ଛୁଇଁବ। ଏବେ ରାଜ୍ୟରେ ଦୈନିକ ଯେତିକି ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଉଛି ତାହାକୁ ଅନୁଶୀଳନ କଲେ ଶୀର୍ଷ ସମୟରେ ଓଡ଼ିଶାରେ ଦୈନିକ ୧୫ରୁ ୨୦ ମୃତ୍ୟୁ ହେବ। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବ। ଯାହାକି ୬୩/୬୪ହଜାରରେ ପହଞ୍ଚିଯିବ।

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ସଂକ୍ରମଣ ମଡେଲକୁ ଅନୁକରଣ କରାଯାଉଛି। ଏହି ୩ଟି ମଡେଲ ମେ’ ଦ୍ବିତୀୟ ସପ୍ତାହରେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ କରିଥିଲା। ଏ ସମୟରେ ଦୈନିକ ସଂକ୍ରମଣ ୧୦ହଜାର ଟପିଯିବ ବୋଲି ଅନୁମାନ କରାଯାଇଥିଲା।

The post ଆଇଆଇଟି କାନପୁରର ଆକଳନ: ମେ’ ପ୍ରଥମ ସପ୍ତାହରେ ଭୀଷଣ ହେବ କରୋନା first appeared on Sambad.

from କରୋନା | Sambad https://ift.tt/3ewTPQi