ଭୁବନେଶ୍ବର : ଦେଶରେ କରୋନାର ବେଙ୍ଗଲ ଷ୍ଟ୍ରେନ୍‌କୁ ନେଇ ଆତଙ୍କ ଖେଳି ଯାଇଛି। ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୮) ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ନଜରକୁ ଆସିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଲୋକ ରାଜ୍ୟକୁ ଯିବା ଆସିବା କରୁଥିବାରୁ ରାଜ୍ୟରେ ଏହି ଭୂତାଣୁ ଷ୍ଟ୍ରେନ୍ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଦେଶରେ କରୋନାର ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୭) କେତେ କ୍ଷତିକାରକ ତାହା ମହାରାଷ୍ଟ୍ର, ଛତିଶଗଡ଼ ଓ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁଛି। ମାତ୍ର ପଶ୍ଚିମବଙ୍ଗରେ କରୋନାର ଏକ ନୂତନ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସଂପର୍କରେ ଇନଷ୍ଟିଚ୍ୟୁଟ୍ ଅଫ ଜିନୋମିକ୍ସ ଏଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି(ଆଇଜିଆଇବି)ର ବୈଜ୍ଞାନିକ ବିନୋଦ ସ୍କାରିଆ ଟ୍ବିଟରରେ ସୂଚନା ଦେଇଥିଲେ। ବେଙ୍ଗଲ ଷ୍ଟ୍ରେନ୍‌ରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖିବାକୁ ମିଳିଥିବା କରୋନା ଭାରିଏଣ୍ଟ ବା ଇ୪୮୪କେ ମ୍ୟୁଟେସନ୍‌ ରହିଥିବା ନଜରକୁ ଆସିଛି। ଏହି ଷ୍ଟ୍ରେନ୍ ଅତ୍ୟନ୍ତ ଘାତକ କୁହାଯାଉଛି। ଏପରିକି ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତି କିମ୍ବା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରୁ ବର୍ତିପାରିବେ ନାହିଁ ବୋଲି ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ବାୟୋମେଡିକାଲ ଜିନୋମିକ୍ସର ଶ୍ରୀଧର ଚିନ୍ନାସ୍ବାମୀ କହିଛନ୍ତି। ତେଣୁ ଲୋକମାନଙ୍କୁ ପୂର୍ବାପେକ୍ଷା ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ବେଙ୍ଗଲ ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ। ଏପରିକି ମ୍ୟୁଟେସନ୍ ଓ ଭୂତାଣୁ ସଂପର୍କରେ ସୂଚନା ଦେଉଥିବା ନାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ବା ଏନ୍‌ସିଡିସି ମଧ୍ୟ ଏ ସଂପର୍କରେ କୌଣସି ସରକାରୀ ସୂଚନା ଦେଇନାହିଁ। ତେଣୁ ବେଙ୍ଗଲ ଷ୍ଟ୍ରେନ୍‌କୁ ନେଇ ଅନେକ ସନ୍ଦେହ ପ୍ରକାଶ କରୁଛନ୍ତି। ‌ପ୍ରକୃତରେ ଏଭଳି କୌଣସି ଷ୍ଟ୍ରେନ୍ ଚିହ୍ନଟ ହୋଇଛି କି ଜାଣିଶୁଣି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରାଯାଉଛି ତାହାକୁ ନେଇ ଜୋରଦାର ଆଲୋଚନା ହେଉଛି। ତେବେ ଆଜି କେନ୍ଦ୍ର ସରକାର ଏ ସଂପର୍କରେ ସୂଚନା ଦେଇପାରନ୍ତି ବୋଲି କୁହାଯାଉଛି।

The post ଘାତକ ବେଙ୍ଗଲ ଭାଇରସ୍, ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ଆଣିପାରେ first appeared on Sambad.

from କରୋନା | Sambad https://ift.tt/3epTVcr