
ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ରେ ‘ମେଡିକାଲ୍ ଅକ୍ସିଜେନ୍’ ନିଅଣ୍ଟ ହେବାରୁ ୨୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ନିର୍ଦେଶକ ଡାକ୍ତର ବାଲୁଜା କହିଛନ୍ତି।
ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ର ମେଡିକାଲ୍ ଡାଇରେକ୍ଟର୍ ଡାକ୍ତର ଡି.କେ. ବାଲୁଜା ଗଣମାଧ୍ୟମକୁ କହିଛନ୍ତି, କ୍ରିଟିକାଲ୍ କେୟାର୍ ୟୁନିଟ୍ରେ ହାଇ ଫ୍ଲୋ ଅକ୍ସିଜେନ୍ରେ ଥିବା ୨୦ଜଣ ରୋଗୀଙ୍କୁ ଆମେ ହରାଇଛୁ। ରାତି ୧୦ ସୁଦ୍ଧା ଆମର ତରଳ ଅମ୍ଳଜାନ (ଅକ୍ସିଜେନ୍) ଶେଷ ହୋଇଯିବା ପରେ ଆମେ ଅକ୍ସିଜେନ୍ ସିଲିଣ୍ଡର୍ ଲଗାଇଲୁ। ସେଥିରେ ଚାପ ହ୍ରାସ ପାଇବାରୁ ରୋଗୀମାନଙ୍କୁ ବଞ୍ଚାଇବା ସମ୍ଭବପର ହେଲା ନାହିଁ।
ସରକାର ଆମ ପାଇଁ ୩.୫ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆବଣ୍ଟନ କରିଥିଲେ। ସନ୍ଧ୍ୟା ୫ଟା ସୁଦ୍ଧା ତାହା ଆମ ପାଖରେ ପହଞ୍ଚିବାର ଥିଲା, କିନ୍ତୁ ପହଞ୍ଚିଲା ଆସି ରାତି ଅଧରେ। ସେତେବେଳକୁ ୨୦ଜଣ ରୋଗୀଙ୍କର ମୃତ୍ୟୁ ଘଟିସାରିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଅନ୍ୟୂନ ୨୧୫ଜଣ କୋଭିଡ୍ ରୋଗୀଙ୍କ ଅବସ୍ଥା ଜଟିଳ ଥିବାରୁ ସେମାନଙ୍କ ପାଇଁ ଅମ୍ଳଜାନ (ଅକ୍ସିଜେନ୍) ଅପରିହାର୍ଯ୍ୟ।
ଅକ୍ସିଜେନ୍ ନିଅଣ୍ଟ ପାଇଁ ଆଜି ସକାଳେ ‘ଏସ୍ଓଏସ୍’ ପଠାଇବାରେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ ହେଉଛି ସହରର ଦ୍ବିତୀୟ ହସ୍ପିଟାଲ୍। ପୂର୍ବରୁ ‘ମୁଲ୍ଚାନ୍ଦ୍’ ଶୃଙ୍ଖଳ ହସ୍ପିଟାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଉପରାଜ୍ୟପାଳ ଅନୀଲ ବୈଜାଲ୍ଙ୍କୁ ଟୁଇଟ୍ କରି ଅକ୍ସିଜେନ୍ ପାଇଁ ଅନୁରୋଧ କରିଥିଲା। ସେଠାରେ ୧୩୦ଜଣ ରୋଗୀ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି।
The post ଅକ୍ସିଜେନ୍ ନିଅଣ୍ଟ ହେବାରୁ ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ରେ ୨୦ଜଣ ରୋଗୀ ମୃତ first appeared on Sambad.from କରୋନା | Sambad https://ift.tt/2QjKfs5
0 Comments