ନୂଆଦିଲ୍ଲୀ: ହିନ୍ଦୀବହୁଳ ରାଜ୍ୟମାନଙ୍କରେ ସଂକ୍ରମଣ ଉପରମୁହାଁ ହୋଇଛି। ପ୍ରଥମ ଥର ପାଇଁ ଗତ ସପ୍ତାହରେ ହିନ୍ଦୀବହୁଳ ରାଜ୍ୟମାନଙ୍କରେ ସର୍ବାଧିକ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଦେଶରେ ସଂକ୍ରମଣ ମାମଲା ଗତ ସପ୍ତାହରେ ୭୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କେବଳ ବିହାରରେ ୪ ଗୁଣା ସଂକ୍ରମଣ ବୃଦ୍ଧି ପାଇଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହରେ ବିହାରରେ ୩୩୪ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ବିହାରରେ ଏପ୍ରିଲ ୫-୧୧ ମଧ୍ୟରେ ୧୪,୮୫୨ ମାମଲା ଚିହ୍ନଟ ହୋଇଛି। ‌ତେବେ ପୂର୍ବ ସପ୍ତାହରେ ଏହି ସଂକ୍ରମଣ ମାମଲା ୩,୪୨୨ ଥିଲା। ଉତ୍ତରପ୍ରଦେଶରେ ମଧ୍ୟ ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ୨୮୧ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।

ଉତ୍ତରପ୍ରଦେଶରେ ଏପ୍ରିଲ ୫ରୁ ୧୧ ମଧ୍ୟରେ ୬୨,୦୦୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଏହାର ପୂର୍ବ ସପ୍ତାହରେ ଉତ୍ତରପ୍ରଦେଶରେ ୧୬,୨୬୯ ମାମଲା ଥିଲା। ସେହିପରି ଅନ୍ୟ ହିନ୍ଦୀବହୁଳ ରାଜ୍ୟମାନଙ୍କରେ ମଧ୍ୟ ସଂକ୍ରମଣ ବୃଦ୍ଧି ହୋଇଛି। ରାଜସ୍ଥାନରେ ଗତ ସପ୍ତାହରେ ୧୮୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଥିବା ବେଳେ ଝାଡ଼ଖଣ୍ଡରେ ୧୮୨ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ଏହି ୨ ରାଜ୍ୟରେ ପୂର୍ବ ସପ୍ତାହ ତୁଳନାରେ ୩ ଗୁଣା‌ ସଂକ୍ରମଣ ବୃଦ୍ଧି ହୋଇଛି। ଉତ୍ତରାଖଣ୍ଡରେ ମଧ୍ୟ ଗତ ସପ୍ତାହରେ ୧୭୫ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ଆସାମରେ ନିର୍ବାଚନ ଶେଷ ହେବାପରେ ସଂକ୍ରମଣ ମାମଲା ୪ ଗୁଣା ବୃଦ୍ଧି ହୋଇଛି। ଆସାମରେ ସାପ୍ତାହିକ ସଂକ୍ରମଣ ମାମଲା ୪ ଗୁଣା ବୃଦ୍ଧି ହୋଇଛି। ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରେ ରହିଛି। ଗତ ସପ୍ତାହରେ ମହାରାଷ୍ଟ୍ର ସଂକ୍ରମଣ ସର୍ବାଧିକ ୩,୯୬,୬୪୮ ଥିଲା।

The post ହିନ୍ଦୀବହୁଳ ରାଜ୍ୟମାନଙ୍କରେ ସଂକ୍ରମଣ ଉପରମୁହାଁ first appeared on Sambad.

from କରୋନା | Sambad https://ift.tt/2PRDDkt