ନୂଆଦିଲ୍ଲୀ: ୧୮ ବର୍ଷରୁ ଆରମ୍ଭ କରି ଅଧିକ ବୟସବର୍ଗର ଲୋକମାନଙ୍କ ନିମନ୍ତେ କୋଭିଡ୍‌-୧୯ ଟିକାକରଣ ଆଜି ଅପରାହ୍ଣ ୪ଟାରେ ‘କୋ-ଓ୍ଵିନ୍‌’ ପଞ୍ଜିକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଛନ୍ତି।

୨୮ ଏପ୍ରିଲ୍‌ରେ ଏହି ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ସଂକ୍ରାନ୍ତରେ ସୂଚନା ଦେଇ ନ ଥିଲେ। ତେଣୁ, ପଞ୍ଜିକରଣ କରାଇବା ପାଇଁ ରାତି ୧୨ଟାରୁ ଲୋକେ ଉଦ୍ୟମ କରି ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ଆରୋଗ୍ୟ ସେତୁର ଅଫିସିଆଲ୍‌ ଆକାଉଣ୍ଟ୍‌ରୁ ଜଣାପଡ଼ିଛି, ଏପ୍ରିଲ୍‌ ୨୮ ତାରିଖ ଅପରାହ୍ଣ ୪ଟା ବେଳେ ‘ଆରୋଗ୍ୟ ସେତୁ ଆପ୍‌’ ଏବଂ ‘ଉମଙ୍ଗ୍‌ ଆପ୍‌’ ମାଧ୍ୟମରେ http://cowin.gov.inରେ ୧୮ ବର୍ଷରୁ ଅଧିକ ବୟସବର୍ଗଙ୍କ ନିମନ୍ତେ ପଞ୍ଜିକରଣ ଆରମ୍ଭ ହେବ। ମେ ପହିଲାରେ ଆରମ୍ଭ ହେଉଥିବା ଏହି ଟିକାକରଣ ନିମନ୍ତେ କେତେ ଟିକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି ଏବଂ ଟିକା ନେବା ପାଇଁ କେବେ ସୁବିଧା ମିଳିବ ତାହା ରାଜ୍ୟ ସରକାରଙ୍କ କେନ୍ଦ୍ର ଏବଂ ଘରୋଇ କେନ୍ଦ୍ରମାନଙ୍କ ଉପରେ ନିର୍ଭର କରେ।

ମେ ୧ ତାରିଖରୁ ୧୮ ବର୍ଷ ଏବଂ ତାହାଠୁ ଅଧିକ ବୟସ୍କ ବୟସବର୍ଗଙ୍କ ନିମନ୍ତେ କେନ୍ଦ୍ର ସରକାର କୋଭିଡ୍‌-୧୯ ଟିକାକରଣ ଅଭିଯାନ ସମ୍ପ୍ରସାରିତ କରିଛନ୍ତି।

The post ଟିକାକରଣ ପାଇଁ ଆଜି ଅପରାହ୍ଣ ୪ଟାରେ ଆରମ୍ଭ ହେବ ‘କୋ-ଓ୍ଵିନ୍‌’ ପଞ୍ଜିକରଣ: କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3sXWMPc