ବାଲିଅନ୍ତାରେ ଡାକ୍ତରଙ୍କ ସହ ୭ ପଜିଟିଭ୍‌

ବାଲିଅନ୍ତା : ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ଆଜି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ବାଳକାଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ଜଣେ ଠିକାରେ ନିଯୁକ୍ତ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ସେ କୌଣସି କାମରେ ବେଙ୍ଗାଲୁରୁ ଯାଇଥିଲେ। ସେଠାରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିବାରୁ ଏମ୍‌ସ ହସ୍ପିଟାଲରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ସେ ଗୃହ ସଂଗରୋଧରେ ଚିକିତ୍ସାଧୀନ ଅଛନ୍ତି। ବାକି ୬ ଆକ୍ରାନ୍ତ ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ସଂକ୍ରମିତଙ୍କୁ ମିଶାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଝାଡ଼ୁଦାରଙ୍କ ସମେତ ମୋଟ ଦୁଇଜଣ ଡାକ୍ତର ଗୃହ ସଂଗରୋଧରେ ଚିକିତ୍ସାଧୀନ ଅଛନ୍ତି। ବ୍ଲକ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଶତାଧିକ ହୋଇଥିବା ବେଳେ ବାହାର ବ୍ଲକ ଅଞ୍ଚଳରୁ ଆସି ବାଳକାଟି କୋଭିଡ଼ ପରୀକ୍ଷା କେନ୍ଦ୍ରରେ କୋଭିଡ଼ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ୮୦ ଜଣ ସଂକ୍ରମିତ ଅଛନ୍ତି। ହେଲେ ସେମାନଙ୍କୁ ବ୍ଲକ ତାଲିକାରେ ନ ଯୋଡ଼ିବା ପାଇଁ ପ୍ରଶାସନିକ ଅଧିକାରୀ ହସ୍ପିଟାଲ କର୍ତୃପକ୍ଷଙ୍କୁ କହିଥିବା ସୂଚନା ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା, ହସ୍ପିଟାଲରେ ଦୁଇଜଣ ଡାକ୍ତର ଅସୁସ୍ଥ ହେବା ପରେ ବହିର୍ବିଭ‌ାଗ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଉଭୟ ଡାକ୍ତରଙ୍କ ସ୍ଥାନରେ ଅନ୍ୟ ହସ୍ପିଟାଲରୁ ଡାକ୍ତରଙ୍କୁ ଡେପୁଟେସନ୍‌ରେ ଆଣି ଦାୟିତ୍ବ ହସ୍ତାନ୍ତର କରିବାକୁ ଦାବି ହେଉଛି। ଏ ଦିଗରେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

The post ବାଲିଅନ୍ତାରେ ଡାକ୍ତରଙ୍କ ସହ ୭ ପଜିଟିଭ୍‌ first appeared on Sambad.

from କରୋନା | Sambad https://ift.tt/3e1MzwP

Post a Comment

0 Comments