
ପ୍ରଚାରଧର୍ମୀ ସମାବେଶ, ସମ୍ମିଳନୀ ମନା
ବିବାହରେ ଶହେ, ଅନ୍ତ୍ୟେଷ୍ଟିରେ ୫୦ ଜଣଙ୍କୁ ଅନୁମତି
ଶତବାର୍ଷିକୀ, ସୁବର୍ଣ୍ଣ ଓ ରୌପ୍ୟ ଜୟନ୍ତୀ ଆଦି ଉତ୍ସବ ହେବନି
ଅନ୍ୟାନ୍ୟ ସାମାଜିକ ସମାବେଶ ପାଇଁ ଅନୁମତି ବାଧ୍ୟତାମୂଳକ
ଭୁବନେଶ୍ବର : ହୁ ହୁ ହୋଇ ବଢ଼ୁଛି କରୋନା। ସମ୍ଭବତଃ ଦ୍ବିତୀୟ ଲହର ଆରମ୍ଭ ହେବାର ସଂକେତ ଦେଲାଣି। ଯେତେ ସଚେତନ କଲେ ବି ଲୋକେ କିନ୍ତୁ ସତର୍କ ହେଉନାହାନ୍ତି। ତେଣୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପୁଣିଥରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଣିକି ରାଜଧାନୀ ଭୁବନେଶ୍ବରରେ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ, ସମାବେଶ ବା ସମ୍ମିଳନୀ ହୋଇପାରିବ ନାହିଁ। ସେହିପରି କୌଣସି ଅନୁଷ୍ଠାନ ପକ୍ଷରୁ ଶତବାର୍ଷିକୀ, ସୁବର୍ଣ୍ଣ ଜୟନ୍ତୀ କି ରୌପ୍ୟ ଜୟନ୍ତୀ ଆଦି ପାଳନ କରାଯାଇ ପାରିବନି। ଶିକ୍ଷାନୁଷ୍ଠାନଗୁଡ଼ିକର ବାର୍ଷିକ ଉତ୍ସବରେ ବି କଟକଣା ଲାଗିବ। ଅନ୍ୟାନ୍ୟ ସାମାଜିକ ସମାବେଶ ପାଇଁ ବିଏମ୍ସିରୁ ନିର୍ଦ୍ଦିଷ୍ଟ ଅନୁମତି ନେବାକୁ ପଡ଼ିବ ଏବଂ କରୋନା ସ୍ଥିତିକୁ ଆଖିରେ ରଖି କର୍ତ୍ତୃପକ୍ଷ ୧୦୦ରୁ କମ୍ ଲୋକ ସମବେତ ହେଉଥିବା କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ବିବାହ ଉତ୍ସବରେ ଅତିବେଶିରେ ଶହେ ଜଣ ସାମିଲ ହୋଇପାରିବେ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଜଣ ଯୋଗଦେବା ପାଇଁ ଅନୁମତି ମିଳିବ। ଆଜି ବିଏମ୍ସି ପକ୍ଷରୁ ଏଭଳି ମାର୍ଗଦର୍ଶିକା ଜାରି ହୋଇଥିବାବେଳେ ଆସନ୍ତା ୬ ତାରିଖଠାରୁ ଏହା କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ମାର୍ଗଦର୍ଶିକାରେ କୁହାଯାଇଛି ଯେ କୋଭିଡ୍-୧୯ ସଂକ୍ରମଣ ମାମଲା ବଢ଼ୁଥିବାରୁ ଗତ ୩୧ ତାରିଖରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପ୍ରିଲ ମାସର ନିର୍ଦ୍ଦେଶାବଳି ଜାରି ହୋଇଛି। ତାହାକୁ ଆଧାର କରି ସାମାଜିକ ସମାବେଶର ନିୟମାବଳି ଯଥା ବିବାହ ସମ୍ବନ୍ଧୀୟ କାର୍ଯ୍ୟ, ଅନ୍ତ୍ୟେଷ୍ଟି କ୍ରିୟାର ରୀତିନୀତି ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ କଟକଣା ଲାଗିଛି।
ସେହିପରି ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ସମ୍ମିଳନୀ, କର୍ମଶାଳା, ଆଲୋଚନାଚକ୍ର କିମ୍ବା ବାର୍ଷିକ ଉତ୍ସବ ପାଳନ କରିବାକୁ ଅନୁମତି ମିଳିବ ନାହିଁ। ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଗତ ୭ରୁ ୮ ଦିନ ହେଲା ଦେଖୁଛୁ ଯେ ଭୁବନେଶ୍ବରରେ କୋଭିଡ୍-୧୯ ମାମଲା ବଢ଼ୁଛି। କ୍ଲଷ୍ଟର ଅନୁଯାୟୀ ଅନୁଧ୍ୟାନ କରିବା ପରେ କେତେକ କ୍ଷେତ୍ରରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ପାଇଛୁ। ତାହାକୁ ନଜରରେ ରଖି ଏବଂ ଲୋକଙ୍କ ସୁରକ୍ଷା ପାଇଁ କେତେକ କଟକଣା ଲଗାଇବାକୁ ଯାଉଛୁ। ବିବାହରେ ସାମିଲ ହେବା ସଂଖ୍ୟା ୨୦୦ରୁ ଶହେକୁ କମାଇଛୁ। ଟେଷ୍ଟିଂ ବଢ଼ାଇବାକୁ ଯାଉଛୁ। ପ୍ରତିଦିନ ୭ରୁ ୧୦ ହଜାର ପର୍ଯ୍ୟନ୍ତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛୁ।
The post ହୁ ହୁ ହୋଇ ବଢ଼ୁଛି କରୋନା : ୬ରୁ ରାଜଧାନୀରେ କଟକଣା ବଢ଼ିବ first appeared on Sambad.from କରୋନା | Sambad https://ift.tt/3dsP5uC
0 Comments