ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଶନିବାର ରାତିରେ କୋଭିଡ୍ ଡାକ୍ତାରଖାନରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ରବିବାର ପୁଣି ୫୯ଜଣ ଆକ୍ରାନ୍ତ ହୋଇଥିବା ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗଠାରୁ ପ୍ରକାଶ। ମୃତକ ଦ୍ବୟ ହେଲେ ସିନାପାଲି ବ୍ଲକ୍‌ର ଜଣେ ୩୮ବର୍ଷ ବୟସ୍କା ମହିଳା ଓ ଅନ୍ୟଜଣେ ୬୦ ବର୍ଷ ବୟସ୍କା ମହିଳା। ଉଭୟେ କରୋନା ଚିହ୍ନଟ ହୋଇ ନୂଆପଡ଼ା କୋଭିଡ୍ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମୟରେ ଶନିବାର ରାତିରେ ପ୍ରାଣ ହରାଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାଳୀଚରଣ ବେହେରା ପ୍ରକାଶ କରିଛନ୍ତି। ଏହି ଦୁଇଜଣ ମହିଳାଙ୍କୁ ନୂଆପଡ଼ା ଏନ୍‌ଏସି ପକ୍ଷରୁ ଶବ ସତ୍କାର କରାଯାଇଛି ବୋଲି ଏନ୍‌ଏସି ଇଓ ରାମଚନ୍ଦ୍ର ମାଝୀ କହିଛନ୍ତି। ରବିବାର ଚିହ୍ନଟ ହୋଇଥିବା ୫୯ଜଣଙ୍କ ମଧ୍ୟରେ ଖଡ଼ିଆଳର ୧୭ ଜଣ, ନୂଆପଡ଼ା ମୁଖ୍ୟ ଡାକ୍ତରଖାନର ୧୫ ଜଣ, ବୋଡ଼େନ ବ୍ଲକ୍‌ର ୪ଜଣ, ଖରିଆର ରୋଡ଼ର ୧୦ ଜଣ, ସିନାପାଲି ବ୍ଲକ୍‌ର ୭ଜଣ, କୋମନା ବ୍ଲକ୍‌ର ୬ ଜଣ ରହିଛନ୍ତି। ଜିଲ୍ଲାରେ ଏବେ ମୋଟ ୫୪୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ନୂଆପଡ଼ା କୋଭିଡ୍ ଦାୟିତ୍ବରେ ଥିବା ଗୋପାଲ ଚନ୍ଦ୍ର ମିଲ୍ଲିକ ସୂଚନା ଦେଇଛନ୍ତି।

The post କରୋନାରେ ୨ ମହିଳା ମୃତ, ୫୯ ଆକ୍ରାନ୍ତ first appeared on Sambad.

from କରୋନା | Sambad https://ift.tt/39YBz0I