ଭୁବନେଶ୍ବର : ମାସ୍କ ପିନ୍ଧ, ସାମାଜିକ ଦୂରତା ରକ୍ଷା କର ବୋଲି ପ୍ରଥମେ ଅନୁରୋଧ କରାଗଲା। କେହି ଧ୍ୟାନ ଦେଲେନି। ବଜାରରେ ଗହଳି କରନି ବୋଲି ବାରମ୍ବାର ସଚେତନ କ‌ରାଗଲା, ଖାତିର କଲେନି। ରାତି ୯ଟାରୁ ସକାଳ ୫ଟା ଯାଏ ରାତି କର୍ଫ୍ୟୁ ଜାରି ହେଲା, ତଥାପି ସୁଧୁ‌ରିଲେନି। ଦିନବେଳେ ହାଟବଜାରରେ ହାଉଜାଉ ହେଲେ। ବିନା କାମରେ ବି ଗହଳି କଲେ। ରାଜଧାନୀରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଲା। ତେଣୁ ଶେଷରେ ବାଧ୍ୟ ହୋଇ ସପ୍ତାହର ଶେଷ ଦୁଇ ଦିନ ସଟ୍‌ଡାଉନ୍ କରି ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସ୍ଥିର କରିଛନ୍ତି ସରକାର। ଏବେ ଏହି ସଟ୍‌ଡାଉନ୍ ହିଁ ଏକମାତ୍ର ଭରସା। ଯଦି ଏହାପରେ ବି ଲୋକେ ଅମାନିଆ ହେବେ, ତାହେଲେ ପୁଣିଥରେ ଗତବର୍ଷ ଭଳି ଲକ୍‌ଡାଉନ୍‌କୁ ଫେରିଯିବାକୁ ପଡ଼ିବ। ଆଜି ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା ହେବା ପରେ ସହର ସାରା ଏମିତି ଚର୍ଚ୍ଚା ଚାଲିଛି।

ଅନ୍ୟପକ୍ଷରେ ବିଭିନ୍ନ ହାଟ ଓ ବଜାରରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଏହାକୁ ନଜରରେ ରଖି ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀର ସମସ୍ତ ହାଟକୁ ରାସ୍ତା କଡ଼ ଓ ପଡ଼ିଆକୁ ପୂର୍ବ ବର୍ଷ ଭଳି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁନିଟ-୧ ଓ ୟୁନିଟ-୪ ହାଟକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଯାଉଛି ବିଏମ୍‌ସି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ବିଭିନ୍ନ ହାଟରେ କୌଣସି ସାମାଜିକ ଦୂରତା ନିୟମ ପାଳନ ହେଉନଥିବା ଦେଖାଯାଉଛି। ତେଣୁ ଜୋନାଲ୍ ଡେପୁଟି କମିସନରମାନେ ସେମାନଙ୍କ ଜୋନ୍‌ରେ ଥିବା ହାଟଗୁଡ଼ିକୁ ନିକଟସ୍ଥ ଖୋଲା ପଡ଼ିଆ କିମ୍ବା ଖୋଲା ଅଞ୍ଚଳକୁ ସ୍ଥାନାନ୍ତର କରନ୍ତୁ। ଏଥିପାଇଁ ସ୍ଥାନୀୟ ବ୍ୟବସାୟୀ ସଂଘ, ସ୍ଥାନୀୟ ଏସିପି କିମ୍ବା ଥାନାଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ। ଆବଶ୍ୟକସ୍ଥଳେ କରୋନାର ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଟ ଯେଉଁ ସବୁ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲା, ଏବେ ସେଗୁଡ଼ିକୁ ସେହି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। ବ୍ୟବସାୟୀମାନଙ୍କ ମଧ୍ୟରେ ଯେପରି ୬ଫୁଟର ଦୂରତା ରହିବ, ସମସ୍ତେ ମାସ୍କ ପିନ୍ଧିବେ ତାହାକୁ ନିଶ୍ଚିତ କରିବେ। ଏହାସହ ହାଟରେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରିବା ସହ ବୃତ୍ତାକାର ଚିହ୍ନ ଦେବାକୁ କୁହାଯାଇଛି। ହାଟରେ ଯେପରି କୋଭିଡ ନିୟମ ଉଲ୍ଲଂଘନ ହେବନି ତାହା ଉପରେ ନଜର ରଖିବାକୁ ବିଏମ୍‌ସି ଓ ବିଡିଏ ସ୍କ୍ବାଡ୍‌ ନିୟମିତ ବ୍ୟବଧାନରେ ଚେକିଂ କରିବେ ବୋଲି କୁହାଯାଇଛି। କମିସନରଙ୍କ ଏହି ନିର୍ଦ୍ଦେଶନାମା ଆସିବା ପରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ହାଟର ବ୍ୟବସାୟୀ ସଂଘ ସହ ଆଲୋଚନା କରି ତୁରନ୍ତ ହାଟ ସ୍ଥାନାନ୍ତର କରିବାକୁ କୁହାଯାଇଛି।

The post ଅମାନିଆଙ୍କୁ ରୋକି ପାରିଲେନି, ଏବେ ସଟ୍‌ଡାଉନ୍ ଭରସା first appeared on Sambad.

from କରୋନା | Sambad https://ift.tt/3tyB0lT