
ଭୁବନେଶ୍ବର : ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା କରୋନାର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାଇରସ୍ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଓଡ଼ିଶା ସରକାର ଏହାକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗରୁ ଫେରୁଥିବା ଲୋକ ୧୪ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ ବୋଲି ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବାଲେଶ୍ବର ଓ ମୟୂରଭଞ୍ଜର ସୀମାନ୍ତରେ ଚେକିଂ କଡ଼ାକଡ଼ି କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି କଟକଣା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଯିଏ ଓଡ଼ିଶା ଆସିବେ ତାଙ୍କୁ ୧୪ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ର କିମ୍ବା ଦେୟ ସଙ୍ଗରୋଧରେ ରହିବାକୁ ପଡ଼ିବ। ଗୃହ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯିବ ନାହିଁ। ବିମାନ, ନିଜ ଗାଡ଼ି, ଭଡ଼ା ଗାଡ଼ି ଯେ କୌଣସି ମାଧ୍ୟମରେ ଆସିଲେ ମଧ୍ୟ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ଯେଉଁ ବ୍ୟକ୍ତି ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବେ କିମ୍ବା ଓଡ଼ିଶାକୁ ପ୍ରବେଶ କରିବାର ପୂର୍ବ ୪୮ ଘଣ୍ଟା ଭିତରର ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ, କେବଳ ସେହିମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯିବ। ତେବେ ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଯଦି ସଙ୍ଗରୋଧ ନିୟମ ଖିଲାପ କରିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ବାଲେଶ୍ବର, ମୟୂରଭଞ୍ଜ ସୀମାନ୍ତରେ ଚେକ୍ ପୋଷ୍ଟଗୁଡ଼ିକରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ଛୋଟ ରାସ୍ତାଗୁଡ଼ିକ ଉପରେ କଡ଼ା ନଜର ରଖାଯିବା ସହ ସବୁ ଲୋକଙ୍କୁ ଯାଞ୍ଚ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତରେ ଅଧିକ ପୁଲିସ୍ ମୁତୟନ କରାଯିବ। ସରକାରୀ ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ ଆବଶ୍ୟକ ସୁବିଧା ସୁଯୋଗ ସହ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ। ସରପଞ୍ଚ ଓ ୱାର୍ଡମେମ୍ବରମାନେ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବେ। ଯଦି କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଆସି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁ ନାହାନ୍ତି, ତେବେ ତାଙ୍କ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଓ ପୁଲିସ ପ୍ରଶାସନକୁ ଜଣାଇବେ। ପଶ୍ଚିମବଙ୍ଗରୁ ଓଡ଼ିଶା ଭିତର ଦେଇ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକ ଯେପରି ଓଡ଼ିଶା ଭିତରେ ଗାଡ଼ିରୁ ନ ଓହ୍ଲାନ୍ତି, ସେଥି ପ୍ରତି ନଜର ରଖିବାକୁ ପୁଲିସ୍କୁ କୁହାଯାଇଛି।
The post ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ ସଙ୍ଗରୋଧ; ବାଲେଶ୍ବର, ମୟୂରଭଞ୍ଜ ସୀମାରେ ଚେକିଂ କଡ଼ାକଡ଼ି first appeared on Sambad.from କରୋନା | Sambad https://ift.tt/32BBqwe
0 Comments