
ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ (ଏମ୍ସ୍) ତା’ର ଅପରେସନ୍ ଥିଏଟର୍ରେ ଏପ୍ରିଲ୍ ୧୦ ତାରିଖରୁ କେବଳ ଜରୁରୀ ଅସ୍ତ୍ରୋପଚାର କରିବ ବୋଲି ସ୍ଥିର କରିଛି।
ଏ ସଂକ୍ରାନ୍ତରେ ସମସ୍ତ କେନ୍ଦ୍ର ଏବଂ ବିଭାଗୀୟ ମୁଖ୍ୟମାନଙ୍କ ଉଦ୍ଦେଶ୍ୟରେ ଜାରି ବିଜ୍ଞପ୍ତିରେ ‘ଏମ୍ସ୍’ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଡାକ୍ତର ଡି. କେ. ଶର୍ମା କହିଛନ୍ତି ଯେ, ଅପରେସନ୍ ଥିଏଟର୍ର ସେବା ସଙ୍କୋଚନ କରିବା ନିମନ୍ତେ ଗୁରୁବାର ଦିନ ‘ରାମଲିଙ୍ଗସ୍ୱାମୀ ବୋର୍ଡ ରୁମ୍’ରେ ‘ଏମ୍ସ୍’ର ନିର୍ଦେଶକ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। କୋଭିଡ୍-୧୯ ବିସ୍ତାର ରୋକିବା ଲାଗି ଅପରେସନ୍ ଥିଏଟର୍ର ଭିତ୍ତିଭୂମି, ଲୋକବଳ ଓ ଉପକରଣ ସମ୍ବଳ ବିନିଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସେହି ନିଷ୍ପତ୍ତି ଅନୁସାରେ, ଏପ୍ରିଲ୍ ୧୦ ତାରିଖ ଠାରୁ ‘ଏମ୍ସ୍’ରେ ଥିବା ସମସ୍ତ ଅପରେସନ୍ ଥିଏଟର୍ରେ କେବଳ ଜରୁରୀ ପ୍ରକ୍ରିୟା କିଂବା ଅସ୍ତ୍ରୋପଚାର କରାଯିବ।
ଏହା ବ୍ୟତୀତ, ଦୈନନ୍ଦିନ ‘ଓପିଡି ପେସେଣ୍ଟ୍ ରେଜିଷ୍ଟ୍ରେସନ୍’ ‘ସ୍ପେସାଲିଟି କ୍ଲିନିକ୍’ ଏବଂ ଡାକ୍ତରଖାନାର ସମସ୍ତ କେନ୍ଦ୍ର ମଧ୍ୟ ‘ଏମ୍ସ୍’ ସାମୟିକ ଭାବେ ବନ୍ଦ ରଖିଛି।
ପରାମର୍ଶ ପାଇଁ କେବଳ ପୂର୍ବରୁ ସମୟ ପାଇଥିବା ନୂତନ ତଥା ପୁରାତନ ରୋଗୀମାନଙ୍କୁ ‘ଓପିଡି’ ଏବଂ ‘ସ୍ପେସାଲ୍ କ୍ଲିନିକ୍’ଗୁଡ଼ିକରେ ପଞ୍ଜିକରଣ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ଦୈନିକ ରୋଗୀସଂଖ୍ୟା ନିର୍ଦ୍ଧାରଣ କରିବା ଲାଗି ସମ୍ପୃକ୍ତ ବିଭାଗମାନଙ୍କୁ କ୍ଷମତା ଦିଆଯାଇଛି। ଏହି ବ୍ୟବସ୍ଥା ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି।
The post ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି କାରଣରୁ ‘ଏମ୍ସ୍’ ଅପରେସନ୍ ଥିଏଟର୍ରେ କେବଳ ଜରୁରୀ ଅସ୍ତ୍ରୋପଚାର କରାଯିବ first appeared on Sambad.from କରୋନା | Sambad https://ift.tt/3dMj0hh
0 Comments