
ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ କୋଭିଡ୍-୧୯ ସଙ୍କଟ ‘ହୃଦୟବିଦାରକ’ ବୋଲି ଶନିବାର ଦିନ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଅଭିଯାନ ଚଳାଇଥିବା ସାମାଜିକ କର୍ମୀ ଗ୍ରେଟା ଟୁନ୍ବର୍ଗ କହିଛନ୍ତି। ଭାରତକୁ ଏହି ସଙ୍କଟରୁ ମୁକ୍ତି ଦେବା ନିମନ୍ତେ ଆଗେଇ ଆସି ସାହାଯ୍ୟ କରିବା ଲାଗି ମଧ୍ୟ ସେ ବିଶ୍ବ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି।
ଟୁଇଟ୍ କରି ୧୮ ବର୍ଷୀୟ ଗ୍ରେଟା ଟୁନ୍ବର୍ଗ ଲେଖିଛନ୍ତି, ଏବେ ଭାରତର ପରିସ୍ଥିତି ‘ମର୍ମଭେଦୀ’। ବିଶ୍ବ ସମ୍ପ୍ରଦାୟ ଆଗେଇ ଆସି ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ଉଚିତ।
ଟୁଇଟ୍ ସହ ସେ ଭାରତର ସାମ୍ପ୍ରତିକ ସ୍ବାସ୍ଥ୍ୟ ସଙ୍କଟ ସମ୍ବନ୍ଧୀୟ ଏକ ରିପୋର୍ଟ ମଧ୍ୟ ସେୟାର୍ କରିଛନ୍ତି। ସୂଚନାଯୋଗ୍ୟ, ଏବେ ଭାରତରେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି କରୋନାଭାଇସ୍ଦ୍ବାରା ଆକ୍ରାନ୍ତ ହେଉଛନ୍ତି।
ପ୍ରାୟ ଏକ ସପ୍ତାହ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟର ଡାକ୍ତରଖାନାରେ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ‘ମେଡିକାଲ୍ଅକ୍ସିଜେନ୍’ର ଘୋର ଅଭାବ ଦେଖାଦେଇଛି।
ଭାରତରେ କୋଭିଡ୍-୧୯ ସଂକ୍ରମଣ ମାମଲା ବିସ୍ଫୋରକ ପରିସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ଡାକ୍ତରଖାନାରେ ଶଯ୍ୟା ଏବଂ ଭେଣ୍ଟିଲେଟର୍ ଅଭାବ ମଧ୍ୟ ଜୀବନ ବଞ୍ଚାଇବା ଉଦ୍ୟମକୁ ବ୍ୟର୍ଥ କରିପକାଉଛି।
ସେଥିନିମନ୍ତେ ଶନିବାର ଦିନ ଭାରତ ସରକାର କୋଭିଡ୍-୧୯ ଟିକା ଆମଦାନି, ମେଡିକାଲ୍ ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ଉପକରଣ ଉପରୁ ମୌଳିକ ଟିକସ ଛାଡ଼ କରି ଦେଇଛନ୍ତି। ଏହା ବ୍ୟତିରେକେ, ଉପରୋକ୍ତ ସାମଗ୍ରୀ ସବୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି।
ଦେଶରେ ବହୁଳ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ କରାଇବା ନିମନ୍ତେ ‘କଷ୍ଟମ୍ ଡିୟୁଟି’ ଉଚ୍ଛେଦ କରାଯିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥିର ହୋଇଥିଲା।
The post ଭାରତର କୋଭିଡ୍-୧୯ ସଙ୍କଟ ‘ହୃଦୟବିଦାରକ’, ବିଶ୍ବ ସମ୍ପ୍ରଦାୟ ସାହାଯ୍ୟ କରିବା ଆବଶ୍ୟକ: ଗ୍ରେଟା ଟୁନ୍ବର୍ଗ first appeared on Sambad.from କରୋନା | Sambad https://ift.tt/32N39dw
0 Comments