
ନୂଆଦିଲ୍ଲୀ: ଦେଶରେ ଲଗାତାର ୩ ଦିନ ଧରି ଦୈନିକ କରୋନା ସଂକ୍ରମଣ ମାମଲା ୯୦ ହଜାରରୁ ଅଧିକ ରହୁଛି। ଦୈନିକ ସଂକ୍ରମଣ ଗତକାଲି ପ୍ରଥମ ଥର ପାଇଁ ୧ ଲକ୍ଷ ଟପିବା ପରେ ଆଜି ୯୬,୯୮୨ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ବଢ଼ିବା ସହ କରୋନା ମୃତ୍ୟୁ ମଧ୍ୟ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୪୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦେଶରେ କରୋନା ମୃତ୍ୟୁ ୧,୬୫,୫୪୭ରେ ପହଞ୍ଚିଛି। ଅନ୍ୟପକ୍ଷେ ଲଗାତାର ୨୭ ଦିନ ଧରି ସକ୍ରିୟ ମାମଲା ବଢ଼ିଚାଲିଛି। ଦେଶରେ ମୋଟ୍ ସକ୍ରିୟ ମାମଲା ଏବେ ୭,୮୮,୨୨୩ ପହଞ୍ଚିଛି। ଆରୋଗ୍ୟ ହାର ପୁଣି ୯୨.୪୮ ପ୍ରତିଶତକୁ ଖସି ଆସିଛି। ମୋଟ୍ ସଂକ୍ରମଣ ମାମଲା ୧,୨୬,୮୬,୦୪୯ରେ ପହଞ୍ଚିଛି।
ମହାରାଷ୍ଟ୍ର, ଦିଲ୍ଲୀ, ପଂଜାବ ଏବଂ ଛତିଶଗଡ଼ରେ ଲଗାତାର ସଂକ୍ରମଣ ବଢ଼ୁଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ମହାରାଷ୍ଟ୍ରରେ ହାରାହାରି ଦୈନିକ ମାମଲା ୩ ହଜାର ରହୁଥିଲା। ଏବେ ଏହା ୪୪ ହଜାରରୁ ଅଧିକ ରହୁଛି। ସେହିପରି ଦୈନିକ ହାରାହାରି କରୋନା ମୃତ୍ୟୁ ମଧ୍ୟ ୩୨ରୁ ୨୫୦କୁ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ପ୍ରତି ୧୦ ଲକ୍ଷରେ ଭାରତର କରୋନା ମୃତ୍ୟୁ ଏବେ ବି ବିଶ୍ବରେ ସବୁଠୁ କମ୍ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଂଜାବକୁ କେନ୍ଦ୍ର ସରକାର ଏବେ ଫୋକସ୍ରେ ରଖି ଯୁଦ୍ଧକାଳୀନ ସ୍ଥିତିରେ ପଦକ୍ଷେପ ଗ୍ରହଣ କରିଛନ୍ତି।
ଦ୍ବିତୀୟ ଲହରକୁ ସଂଗିନ କରୁଛି ନୂଆ ଲକ୍ଷଣ, ଭୂତାଣୁର ଅଧିକ ଉପସ୍ଥିତି
ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ସାଂଘାତିକ ସ୍ଥିତି ଆଣିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ନୂତନ ପ୍ରଜାତିର କରୋନାଭୂତାଣୁର ଆବିର୍ଭାବ ସାଙ୍ଗକୁ ଦେଖାଦେଇଥିବା ନୂତନ ଲକ୍ଷଣ ଓ ପୀଡ଼ିତଙ୍କଠାରେ ଅଧିକ ପରିମାଣର ଭୂତାଣୁର ଉପସ୍ଥିତି ହିଁ ଏଭଳି ଆଶଙ୍କା ଆଣିଛି।
ଗୁଜରାଟରୁ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ, ସେଠାରେ କିଛି ସଂକ୍ରମିତଙ୍କର କୌଣସି କାଶ କିମ୍ବା ଜ୍ବର ପରି ଅବିଗୁଣ ନଥାଇ ମଧ୍ୟ ସେମାନଙ୍କ ତଳିପେଟରେ ଯନ୍ତ୍ରଣା ସହ ପତଳା ଝାଡ଼ା ଅନୂଭୂତ ହେଉଥିବା ଜଣାଯାଇଛି। ସେହିପରି ଆକ୍ରାନ୍ତଙ୍କ ଶରୀରରେ ଗତ ଦୀପାବଳି ବେଳର ସଂକ୍ରମଣ ତୁଳନାରେ ଅଧିକ ପରିମାଣର କରୋନାଭୂତାଣୁ ପରିଲକ୍ଷିତ ହେଉଥିବା ସ୍ପଷ୍ଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଦ୍ବୈତ ରୂପାନ୍ତରିତ ନୂତନ ପ୍ରଜାତିର କରୋନାଭୂତାଣୁ ମନୁଷ୍ୟ ଶରୀରକୁ ଭିନ୍ନ ଢଙ୍ଗରେ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଭୂତାଣୁ ଖୁବ୍ ଶୀଘ୍ର ମଣିଷର ଫୁସଫୁସ୍ରେ ପ୍ରବେଶ କରି ନିମୋନିଆ ସୃଷ୍ଟି କରୁଛି। ଅପରପକ୍ଷେ, ସଂକ୍ରମିତଙ୍କ ଠାରେ ଅଧିକ ପରିମାଣର ଭୂତାଣୁ ଦେଖାଦେଉଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟମାନଙ୍କ ସଂକ୍ରମଣ ଆଶଙ୍କା ଯଥେଷ୍ଟ ଅଧିକ ରହୁଛି ବୋଲି ବିଶେଷଜ୍ଞମାନଙ୍କ ମତ।
The post ଆରୋଗ୍ୟ ହାର ଖସୁଛି, ସକ୍ରିୟ ମାମଲା ୮ ଲକ୍ଷ ଛୁଇଁବ first appeared on Sambad.
from କରୋନା | Sambad https://ift.tt/3fNutQh
0 Comments