ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ ତାରିଖ ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ସ୍ବତନ୍ତ୍ର ଅଭିଯାନ ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଅଭିଯାନ ସମୟରେ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ କିଭଳି ଭାବେ ପାଳନ କରୁଛନ୍ତି, ସେନେଇ କଡ଼ା ନଜର ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଆଇନଶୃଙ୍ଖଳା ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନଫରେନ୍‌ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମୀଙ୍କୁ ନିୟୋଜିତ କରିବାକୁ ସେ ଆଦେଶ ଦେଇଥିଲେ। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ୍‌ର ଏହି ଲହର ଅତି ସଂକ୍ରାମକ। ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ବିପକ୍ଷରେ ବିଜୟ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ କଟକଣାକୁ କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି। ଏବେ ଢିଲାପଣ ହେବାର ସମୟ ନୁହେଁ। କାରଣ ଅତୀତରେ ଅନେକ ଜୀବନ ବାଜିରେ ଲାଗିଛି।

The post କଡ଼ାକଡ଼ି ହେବ କରୋନା କଟକଣା; ୭ ତାରିଖରୁ ୧୦ ଦିନ ଯାଏଁ ପୁଲିସର ସ୍ବତନ୍ତ୍ର ଅଭିଯାନ first appeared on Sambad.

from କରୋନା | Sambad https://ift.tt/2Pw4FOb