ନୂଆଦିଲ୍ଲୀ : ଭାରତରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଏବଂ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ହଠାତ୍ ଏଭଳି ରୂପ କାହିଁକି ଧାରଣ କଲା? ଏହାକୁ ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚା ଚାଲିଥିବା ବେଳେ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ତଥା ଭାରତ କୋଭିଡ୍‌ ଟାସ୍କ ଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ ଏଥିପାଇଁ ଦୁଇଟି କାରଣକୁ ଦାୟୀ କରିଛନ୍ତି। ‌ଗୋଟିଏ ହେଲା ଧାର୍ମିକ କାର୍ଯ୍ୟକଳାପ ଏବଂ ଅନ୍ୟଟି ହେଲା ବିଧାନସଭା ନିର୍ବାଚନ।

ଏକ ସାକ୍ଷାତକାରରେ ଡା. ଗୁଲେରିଆ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଇଁ ଅନେକ କାରଣ ରହିଥିଲେ ହେଁ ଉପରୋକ୍ତ ଦୁଇଟି ହେଉଛି ପ୍ରମୁଖ କାରଣ। ଗତ ଜାନୁଆରି-ଫେବ୍ରୁଆରି ମାସରେ ଦେଶରେ ଟିକାକରଣ ଚାଲିଥିବା ବେଳେ ଲୋକେ ମାସ୍କ ପିନ୍ଧିବା କି ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ୍‌ କଟକଣା ପାଳିବାରେ ଖାମଖିଆଲ ହୋଇପଡ଼ିଥିଲେ। କରୋନା ଭୂତାଣୁ ସାର୍ସ-କୋଭ୍‌-୨ର ରୂପାନ୍ତରିତ ପ୍ରଜାତି ମଧ୍ୟ ସଂକ୍ରମଣକୁ ଆହୁରି ତୀବ୍ର କରି ପକାଇଲା। ଦେଶରେ କୋଭିଡ୍‌ ସଂକ୍ରମଣ ଏପରି ଅନିୟନ୍ତ୍ରିତ ହୋଇପ଼ଡ଼ିଥିବା ବେଳେ ବିଭିନ୍ନ ପ୍ରକାର ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବେଧଡ଼କ ଜାରି ରହିବା ଚିନ୍ତାର ବିଷୟ। ଏବେ ‌ଅନେକ ଧାର୍ମିକ କାର୍ଯ୍ୟ ଚାଲିଛି ଏବଂ ବିଭିନ୍ନ ରାଜ୍ୟରେ ନିର୍ବାଚନ ମଧ୍ୟ ହେଉଛି। ଆମମାନଙ୍କର ଜୀବନ ସବୁଠୁ ମୂଲ୍ୟବାନ ବୋଲି ସମସ୍ତେ ଅନୁଭବ କରିବା ଜରୁରୀ। ଏପରି ଅପରିହାର୍ଯ୍ୟ କାର୍ଯ୍ୟଗୁଡ଼ିକ ନିର୍ଦ୍ଦିଷ୍ଟ କଟକଣା ଭିତରେ ସାଧିତ ହେବା ଦରକାର, ଯଦ୍ଦ୍ବାରା କୌଣସି ଧାର୍ମିକ ଭାବନାରେ କ୍ଷତି ପହଞ୍ଚିବନି।

ଉତ୍ତରାଖଣ୍ଡର ହରିଦ୍ବାରରେ ଜାରି ରହିଥିବା କୁମ୍ଭମେଳାରେ ସଂଖ୍ୟାଧିକ ସାଧୁ ସଂକ୍ରମିତ ହେବା ପରିପ୍ରେକ୍ଷୀରେ ଡା. ଗୁଲେରିଆଙ୍କ ଟିପ୍ପଣୀ ଗୁରୁତ୍ବ ବହନ କରୁଛି।

The post କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ‘ଧାର୍ମିକ କାର୍ଯ୍ୟକଳାପ, ନିର୍ବାଚନ ଦାୟୀ’, ଗୁମର ଖୋଲିଲେ ଗୁଲେରିଆ first appeared on Sambad.

from କରୋନା | Sambad https://ift.tt/3tt3td9