
ହାଟଡିହି : ହାଟଡିହି ବ୍ଲକ୍ରେ ତିନିଦିନ ହେଲା କରୋନା ଟିକା ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଇଥିବା ଟିକା ଉତ୍ସବ ପ୍ରହସନରେ ପରିଣତ ହୋଇଛି। ଦୈନିକ ଶହଶହ ଲୋକ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।
ହାଟଡିହି ବ୍ଲକ୍ରେ ମୋଟ ୫୪ ହଜାର ୮୬୩ଜଣଙ୍କୁ ଟିକା ଦିଆଯିବାକୁ ଥିବାବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୧୨ ହଜାର ୮୫୧ଜଣଙ୍କୁ ଟିକା ଦିଆଯାଇଛି। ଶାଳଣିଆଁ, ହାଟଡିହି, ଟୁକୁଣା, ସୋସୋ, ହଦଗଡ଼ ଆଦି ୫ ଡାକ୍ତରଖାନାରେ ନିୟମିତ ଟିକାକରଣ କରାଯାଉଥିଲା। ମୁଗୁପୁର ଡାକ୍ତରଖାନାରେ ଦୁଇଦିନ ଓ ଓରାଳି ଡାକ୍ତରଖାନାରେ ଗୋଟିଏ ଦିନ ଟିକାକରଣ କରାଯାଇଥିଲା। ୧୦ ତାରିଖଠାରୁ ସମଗ୍ର ବ୍ଲକ୍ରେ ଟିକାକରଣ ବନ୍ଦ ହୋଇଯାଇଛି। ୮ ତାରିଖରେ ମାତ୍ର ୨ ହଜାର ଟିକା ଆସିଥିଲା। ଏହା ଦୁଇଦିନରେ ଶେଷ ହୋଇଯିବାରୁ ଟିକାକରଣ ବନ୍ଦ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବ ଆୟୋଜନ ପାଇଁ ଆହ୍ୱାନ ଦେଇଛନ୍ତି। କିନ୍ତୁ ଶହଶହ ଲୋକ ଟିକା ନେବାପାଇଁ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରୁଛନ୍ତି। କେବେ ଟିକା ଆସିବ ସେନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଟିକାକରଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ଦାବି ହେଉଛି।
The post କରୋନା ଟିକା ନାହିଁ, ପ୍ରହସନ ପାଲଟିଛି ଉତ୍ସବ first appeared on Sambad.from କରୋନା | Sambad https://ift.tt/2POM6F5
0 Comments