ହାଇଦ୍ରାବାଦ୍‌ : ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ରୋଗୀ ଅଧିକ ଦିନ ହସ୍ପିଟାଲ୍‌ରେ ରହୁଛନ୍ତି। ପ୍ରଥମ ଲହରରେ ଜଣେ ସାଧାରଣ କୋଭିଡ୍‌ ରୋଗୀ ଅତି ବେଶୀରେ ୭ରୁ ୧୦ ଦିନ ହସ୍ପିଟାଲ୍‌ରେ ରହୁଥିଲେ, କିନ୍ତୁ ଦ୍ବିତୀୟ ଲହରରେ ଏଥିପାଇଁ ୧୫ ଦିନ ଲାଗୁଛି। କରୋନା ଭୂତାଣୁର ବିଭିନ୍ନ ରୂପାନ୍ତରଣକୁ ଏଥିପାଇଁ ଦାୟୀ କରାଯାଇଛି। ଡବଲ୍‌ ଏବଂ ଟ୍ରିପଲ୍‌ ମ୍ୟୁଟେସନ୍‌ ପାଇଁ ଦ୍ବିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ୁଛି। ଏହାର ଫଳ ସ୍ବରୂପ ପରିବାରର ସବୁ ସଦସ୍ୟ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଲେ ରୋଗୀଙ୍କ ଆଇସିୟୁ ରହଣୀ ସମୟ ମଧ୍ୟ ବୃଦ୍ଧି ପାଉଛି।

ଆପୋଲୋ ହସ୍ପିଟାଲ୍‌ର ଡାକ୍ତର ବିଜୟ କୁମାର ଚେନ୍ନମସେଟ୍ଟି କହିଛନ୍ତି, ଡବଲ୍‌ ଏବଂ ଟ୍ରିପଲ୍‌ ମୁଟାଣ୍ଟ୍‌ ଥିବା ନୂଆ ଷ୍ଟ୍ରେନ୍‌ ଅଧିକ ବିପଜ୍ଜନକ ହୋଇଛି ଏବଂ ରୋଗୀର ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ଖରାପ ହୋଇଯାଉଛି। ତେବେ ରୋଗୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସେମାନେ ବିଳମ୍ବରେ ହସ୍ପିଟାଲ୍‌ ଯାଉଛନ୍ତି ଏବଂ ହସ୍ପିଟାଲ୍‌ ରହଣୀ ସମୟ ମଧ୍ୟ ବଢ଼ିଯାଉଛି। କେବଳ ହସ୍ପିଟାଲ୍‌ ରହଣୀ ସମୟ ନୁହେଁ ଏଥିସହ ଆଇସିୟୁ ଏବଂ ଭେଣ୍ଟିଲେଟରରେ ମଧ୍ୟ ରୋଗୀଙ୍କୁ ଅଧିକ ସମୟ ରହିବାକୁ ପଡ଼ୁଛି। ଏହା ଦ୍ବାରା ହସ୍ପିଟାଲ୍‌ ବିଲ୍‌ ବଢ଼ୁଛି ଏବଂ ରୋଗୀଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଭାରି ପଡ଼ିଯାଉଛି।

The post ଦ୍ବିତୀୟ ଲହରରେ ରୋଗୀ ଅଧିକ ଦିନ ହସ୍ପିଟାଲ୍‌ରେ ରହୁଛନ୍ତି, ପରିବାର ସଦସ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ first appeared on Sambad.

from କରୋନା | Sambad https://ift.tt/3dJwls6