
ରାୟଗଡ଼ା: କରୋନା ସଂକ୍ରମଣ ବୃଦ୍ଧି ପରେ ପଡ଼ୋଶୀ ରାଜ୍ୟରୁ ଘରମୁହାଁ ହେଉଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ତତ୍ପର ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଆଜି ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରେ ସ୍ଥିତି ଯାଞ୍ଚ କରିବା ପରେ ଆସନ୍ତାକାଲିଠୁ ଯାଞ୍ଚ କଡାକଡ଼ି କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାୟଗଡ଼ା ଉପଖଣ୍ଡର କେରେଡ଼ା, ଗୁଣପୁର ଉପଖଣ୍ଡର ବେସନାଗୁଡ଼ା, କାଟିକିରେ ପରିବହନ-ସ୍ବାସ୍ଥ୍ୟ-ପୁଲିସ୍ ବିଭାଗ କର୍ମଚାରୀ ମିଳିତ ଭାବେ ସୀମାନ୍ତରେ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ନିର୍ଦେଶ ହୋଇଛି।
ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସୁରକ୍ଷା ନିୟମକୁ କଡାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତାକାଲିଠୁ ଆନ୍ଧ୍ର ସୀମା ସିଲ୍ କରି ଚେକ ପଏଣ୍ଟ କାର୍ଯ୍ୟକାରୀ କରାଯିବ। ଚେକ୍ ପଏଣ୍ଟରେ ଓଡ଼ିଶାକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନ ଓ ପ୍ରବାସୀଙ୍କ ସଂପର୍କରେ ଟିକନିକ୍ ତଥ୍ୟ ରଖିବ ଜିଲ୍ଲା ପ୍ରଶାସନ। ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ସହ ଟିକାକରଣ କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ନଚେତ୍ ୭ ଦିନ ସଙ୍ଗରୋଧରେ ରହିବେ। ନିଜ ଘରେ ସଙ୍ଗରୋଧରେ ରହିବାର ସୁବିଧା ନଥିଲେ ସରକାରଙ୍କ ଦ୍ବାରା ପରିଚାଳିତ ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଛି। କେରେଡ଼ାରେ ଏକ ଅସ୍ଥାୟୀ କେନ୍ଦ୍ର ଖୋଲିବାକୁ ପ୍ରଶାସନର ନିଷ୍ପତ୍ତି ପରେ ତୁରନ୍ତ ନିର୍ମାଣ କାମ ଶେଷ କରିବାକୁ ବ୍ଲକ୍ ପ୍ରଶାସନକୁ ନିର୍ଦେଶ ହୋଇଛି। ଏଥି ସହିତ ରାୟଗଡ଼ା ରେଳ ଷ୍ଟେସନରେ ମଧ୍ୟ ପରିବହନ-ସ୍ବାସ୍ଥ୍ୟ-ପୁଲିସ୍ ବିଭାଗର ଏକ ଟିମ୍ ଯାଞ୍ଚ ପାଇଁ ରହିବେ। ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ ପରେ ହିଁ ଛଡ଼ାଯିବ।

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ତାଡ଼ମା, ଗୁଣପୁର, ବିଷମକଟକ କୋଭିଡ଼୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯିବ। ଏହି ୩ କେନ୍ଦ୍ରରେ ଶର୍ଯ୍ୟା ସାଙ୍ଗକୁ ଅନ୍ୟ ସମସ୍ତ ସୁବିଧା ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧୩୬ ଆକ୍ଟିଭ୍ ସଂକ୍ରମିତ ଥିବା ବେଳେ ଜେକେପୁରସ୍ଥିତ ଜିଲ୍ଲା କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୧୨୩ ଜଣ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ୭ ଆକ୍ରାନ୍ତ ଜିଲ୍ଲା ବାହାର ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ଜଣା ପଡିଛି। ଗତକାଲି ଜିଲ୍ଲାରୁ ସର୍ବାଧିକ ୪୭ ଏବଂ ଆଜି ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା, ଗୁଣପୁର ପୌର ପରିଷଦ ଅଞ୍ଚଳରେ ହିଁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସୀମାନ୍ତ ଉପରେ ତୀକ୍ଷଣ ନଜର ରଖିବାକୁ ପ୍ରଶାସନ ଗୁରୁତ୍ବ ଦେଇଛି। ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ବିଡ଼ିଓ ରାଜେନ୍ଦ୍ର ମାଝି, କନିଷ୍ଠ ଯନ୍ତ୍ରୀ ଜୟ ପ୍ରକାଶ ନାରାୟଣ ଭଟ୍ଟରାୟ, ଜିଲ୍ଲା ପରିବହନ ଅଧିକାରୀ ହେମେନ୍ଦ୍ର ନାୟକ, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି, କେରେଡା ମେଡ଼ିକାଲ୍ ଅଫିସର ଡା. ନିକିତା ମୋହନା, ଶେଷଖାଲ ଥାନା ଏସଆଇ ଦୟାନିଧି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
The post ଆଜିଠୁ ଆନ୍ଧ୍ର-ଓଡ଼ିଶା ସୀମାରେ ଯାଞ୍ଚ କଡାକଡ଼ି, ୨୪ ଘଣ୍ଟିଆ ଡ୍ୟୁଟିରେ ରହିବେ ପରିବହନ-ସ୍ବାସ୍ଥ୍ୟ-ପୁଲିସ୍ କର୍ମଚାରୀ first appeared on Sambad.from କରୋନା | Sambad https://ift.tt/324QoKL
0 Comments