
ଭୁବନେଶ୍ବର : ବୁଧବାର ରାଜଧାନୀରେ ୩୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକାଥରେ ଶତକରୁ ତ୍ରିଶତକକୁ ଡେଇଁଛି। ଗତବର୍ଷ ସେପ୍ଟେମ୍ବରରେ କରୋନା ଯେତେବେଳେ ଶୀର୍ଷରେ ଥିଲା ସେତେବେଳେ ରାଜଧାନୀରୁ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ପୁଣି ଏହି ସ୍ଥିତି ଉପୁଜିଛି। କିନ୍ତୁ ଏହା ଅତ୍ୟନ୍ତ ଦ୍ରୁତ ଗତିରେ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ହଠାତ୍ ପୂର୍ବ ଦିନ ଅପେକ୍ଷା ଶହେରୁ ଅଧିକ ହୋଇଯାଇଛି। ଆସନ୍ତାକାଲି ମଧ୍ୟ ଏହି ଧାରା ଆହୁରି ତ୍ବରାନ୍ବିତ ହେବ ବୋଲି ଆଶଙ୍କା କରାଯାଉଛି।
ଗତ ୭ଦିନର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦର୍ଶାଉଛି ଯେ ରାଜଧାନୀରେ କରୋନା ଏବେ ବେକାବୁ ହୋଇଯାଇଛି। ଏତେଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଯିବ ବୋଲି କେହି ଅନୁମାନ କରିନଥିଲେ। କିନ୍ତୁ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ସମସ୍ତଙ୍କ ନିଦ ହଜାଇ ଦେଇଛି। ଗତବର୍ଷ ଏପ୍ରିଲ ଓ ମେ’ ମାସରେ ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ଥିବାବେଳେ ରାଜଧାନୀବାସୀଙ୍କ ମନରେ ଯେଉଁ ଭୟ ସୃଷ୍ଟି ହୋଇଥିଲା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍ ହେବା ପରେ ସେହିଭଳି ଭୟ ପୁଣିଥରେ ସୃଷ୍ଟି ହୋଇଛି।
ସବୁଠି ଏବେ କରୋନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜଧାନୀର ସବୁ ଅଞ୍ଚଳରେ ଆକ୍ରାନ୍ତ ଛାଇ ଯାଇଥିବାରୁ ସମସ୍ତେ ଏବେ ନିଜ ଅଞ୍ଚଳରେ ଏବଂ ଆଖପାଖ ଅଞ୍ଚଳରେ କେତେ ଆକ୍ରାନ୍ତ ବାହାରିଲେ ତାହା ଖୋଜୁଛନ୍ତି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ୁଛି। ହେଲେ ଶୀର୍ଷରେ ପହଞ୍ଚିବାକୁ ଆହୁରି ବାକି ଅଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ କମ୍ ଦିନ ହେଲା ବଢ଼ିଥିବାରୁ ଏବେ ମଡରେଟ୍ ସ୍ଥିତିରେ ଅଛି। ଆଗକୁ ଏହା ଅଧିକ ଦ୍ରୁତଗତିରେ ବଢ଼ି ଶୀର୍ଷ ଛୁଇଁପାରେ। ତେଣୁ ଆମକୁ ଏହାର ମୁକାବିଲା କରିବାକୁ ହେବ। ସମସ୍ତେ କୋଭିଡ କଟକଣା ମାନି ଚଳିଲେ କରୋନା ଶୀର୍ଷରେ ପହଞ୍ଚିବା ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା କମାଇପାରିବା।
ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଆମେ ଏହାର ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଅଛୁ। କୋଭିଡ ହସ୍ପିଟାଲଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରାଯାଇଛି। ସମ୍ ହସ୍ପିଟାଲରେ ପୂର୍ବଭଳି ୫୦୦ରୁ ଅଧିକ ଶଯ୍ୟା ଏବେ ଖୋଲା ଯାଇଛି। ଆଦିତ୍ୟ-ଅଶ୍ବିନୀରେ ଆଜିଠାରୁ ୧୦୦ ଶଯ୍ୟା ଖୋଲାଯାଇଛି।
ଏହାବାଦ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ କରିବା, ଔଷଧ ସେବନ ପରାମର୍ଶ ଦେବାକୁ ମୁଖ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ୍ରେ ୧୦ଟି ଆର୍ଆର୍ଟି ଟିମ୍ ଅଛନ୍ତି। ତିନି ଜୋନ୍ରେ ୮ଟି ଲେଖାଏଁ ହିସାବରେ ୨୪ଟି ଆର୍ଆର୍ଟି ଟିମ୍ କାର୍ଯ୍ୟ କରୁଛି। ସେମାନେ ଘରେ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ଫୋନ୍ରେ ଔଷଧ ପରାମର୍ଶ ଦେଉଛନ୍ତି। ଯେଉଁମାନଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି, ସେମାନେ ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ଥିବା ୧୯୨୯ ନମ୍ବରରେ ଫୋନ୍ କରି ପରାମର୍ଶ ପାଇପାରିବେ। ଏହା ୨୪ଘଣ୍ଟା ଖୋଲା ରହିଛି। ଏଠାରେ କମ୍ୟୁନିଟି ମେଡିସିନ୍ ବିଶେଷଜ୍ଞ ବସୁଛନ୍ତି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜଧାନୀରେ ଟିକାକରଣ ଜନିତ ସମସ୍ୟା ନାହିଁ। ରାଜଧାନୀରେ ଦିନକୁ ୧୦ହଜାର ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା କରାଯାଇଛି। ଏବେ ପର୍ଯ୍ୟନ୍ତ ଟିକାର ଅଭାବ ନାହିଁ ବୋଲି ବିଏମ୍ସି କମିସନର କହିଛନ୍ତି।
The post ରାଜଧାନୀ ସ୍ଥିତି ବିଗିଡ଼ୁଛି, ନିଦ ହଜାଇଲାଣି ଦ୍ରୁତ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3uSe41y
0 Comments