ହଙ୍ଗ୍‌କଙ୍ଗ୍‌: ଏପ୍ରିଲ୍‌ ୨୦ ତାରିଖରୁ ଭାରତ, ପାକିସ୍ତାନ ଏବଂ ଫିଲିପ୍ପିନ୍‌ସ୍‌ରୁ ଆସୁଥିବା ବିମାନଗୁଡ଼ିକୁ ବାତିଲ କରାଯିବ ବୋଲି ରବିବାର ଦିନ ହଙ୍ଗ୍‌କଙ୍ଗ୍‌ର ସରକାରୀ କର୍ତ୍ତୃପକ୍ଷମାନେ ଘୋଷଣା କରିଛନ୍ତି।

ଏହି ନିଷେଧାଜ୍ଞା ଦୁଇ ସପ୍ତାହ ବଳବତ୍ତର ରହିବ ବୋଲି ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଅଛି। ବିଳମ୍ବିତ ରବିବାରେ ସରକାରୀ କର୍ତ୍ତୃପକ୍ଷମାନେ ଏକ ବିବୃତିରେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏସୀୟ ଅର୍ଥନୈତିକ ନାଭିଚକ୍ର ବା ‘ଏସିଆନ୍‌ ଫାଇନାନ୍‌ସିଆଲ୍‌ ହବ୍‌’ରେ (ହଙ୍ଗ୍‌କଙ୍ଗ୍‌) ‘ଏନ୍‌୫୦୧ଓ୍ଵାଇ’ ପରିବର୍ତ୍ତିତ କୋଭିଡ୍‌-୧୯ ପ୍ରଜାତି ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସରକାରୀ କର୍ତ୍ତୃପକ୍ଷମାନେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଏହି ତିନୋଟି ଦେଶକୁ ‘ଏକ୍‌ଷ୍ଟ୍ରିମ୍‌ଲି ହାଇ ରିସ୍କ୍‌’ (ମାତ୍ରାଧିକ ବିପଦ ଆଶଙ୍କା) ଶ୍ରେଣୀଭୁକ୍ତ କରାଯିବ। ଗତ ୧୪ ଦିନ ମଧ୍ୟରେ ଏହି ତିନୋଟି ଦେଶରୁ ଆସିଥିବା ଯାତ୍ରୀଙ୍କ ଠାରେ ଏକାଧିକ ସଂକ୍ରମଣ ମାମଲା ଚିହ୍ନଟ କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସରକାର କହିଛନ୍ତି।

Image Courtesy of Zee News

ଦେଶର ‘ହେଲ୍‌ଥ୍‌ ବୁଲେଟିନ୍‌’ ଅନୁସାରେ, ରବିବାର ଦିନ ସହରରେ ୩୦ଟି ନୂଆ କୋଭିଡ୍‌-୧୯ ମାମଲା ରିପୋର୍ଟ କରାଯାଇଥିଲା। ସେଥିରୁ ୨୯ଟି ମାମଲା ଉପରୋକ୍ତ ତିନୋଟି ଦେଶରୁ ଆସିଛି। ସୂଚନାଯୋଗ୍ୟ, ହଙ୍ଗ୍‌କଙ୍ଗ୍‌ରେ ସମୁଦାୟ ୧୧,୬୦୦ରୁ ଅଧିକ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ୨୦୯ଜଣଙ୍କର ମୃତ୍ୟୁ ଘଟିଛି।

ତେଣୁ, କୋଭିଡ୍‌-୧୯ ନିରୋଧୀ ଟିକା ନେବା ଲାଗି ହଙ୍ଗ୍‌କଙ୍ଗ୍‌ କର୍ତ୍ତୃପକ୍ଷମାନେ ହଙ୍ଗ୍‌କଙ୍ଗ୍‌ବାସୀଙ୍କୁ ପରାମର୍ଶ ଦେଉଛନ୍ତି। ହଙ୍ଗ୍‌କଙ୍ଗ୍‌ର ୭.୫ ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ମାତ୍ର ୯% ଟିକା ନେଇଛନ୍ତି।

The post ଏପ୍ରିଲ୍‌ ୨୦ରୁ ଭାରତ, ପାକିସ୍ତାନ ଓ ଫିଲିପ୍ପିନ୍‌ସ୍‌ରୁ ଆସୁଥିବା ବିମାନ ବାତିଲ କରିବ ହଙ୍ଗ୍‌କଙ୍ଗ୍‌ first appeared on Sambad.

from କରୋନା | Sambad https://ift.tt/3x9DTMf