
ରାଉରକେଲା: ଜିଲ୍ଲାର ମାତ୍ରାଧିକ କରୋନା ସଂକ୍ରମଣ ଜନସାଧାରଣଙ୍କୁ ଆତଙ୍କିତ କଲାଣି। ଜିଲ୍ଲାରେ ସଂକ୍ରମଣ ଅଣାୟତ୍ତ ହେଲାଣି, ଏହା ଆଉ କାହାକୁ ଅଛପା ନାହିଁ। ଗତ କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦୦ ଟପୁଥିଲା, ଯାହାକୁ ନେଇ ଜିଲ୍ଲାବାସୀ କମ୍ ଆତଙ୍କିତ ନଥିଲେ। ଏବେ କିନ୍ତୁ ସଂଖ୍ୟା ୨୦୦ ବି ପାର୍ ହେଲାଣି। ଫଳରେ ଲୋକଙ୍କ ଦୁଶ୍ଚିନ୍ତା ଦ୍ବିଗୁଣିତ ହୋଇ ଯାଇଛି। ଆଜି ଜିଲ୍ଲାରୁ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ରାଜ୍ୟର ଦିନିକିଆ ସର୍ବାଧିକ। ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାଉରକେଲା, ବେଦବ୍ୟାସ, ବନ୍ଧମୁଣ୍ଡା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଥିବା ଜଣାପଡ଼ିଛି। ଏହାସହ ଆଜି ୩୮ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭,୦୬୧ରେ ପହଞ୍ଚିଛି। ଏଥିମଧ୍ୟରୁ ୧୫,୯୬୬ ଜଣ ସୁସ୍ଥ ହୋଇସାରିଥିବାବେଳେ ୯୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୧୭୪ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କର କୋଭିଡ୍ ଟେଷ୍ଟ୍ କଡ଼ାକଡ଼ି କରାଯାଇଛି। ସର୍ବାଧିକ ସଂକ୍ରମିତ ୫ଟି ରାଜ୍ୟ, ଯଥା-କେରଳ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ ଦେଇ ରାଉରକେଲା ଆସୁଥିବା ଟ୍ରେନ ଯାତ୍ରୀଙ୍କର ରେଳ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଏନେଇ ପଚାରିବାରୁ କହିଲେ, କ୍ରମବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି।
ସଂକ୍ରମଣକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ତୟାର ଅଛନ୍ତି। କୋଭିଡ୍ ହସପିଟାଲ, କ୍ବାରେଣ୍ଟିନ୍ ସେଣ୍ଟର୍ ତଥା ସ୍ବସ୍ଥ୍ୟକର୍ମୀଙ୍କୁ ଆଗୁଆ ଅବଗତ କରାଯାଇସାରିଲାଣି। ଆବଶ୍ୟକ ପଡ଼ିଲେ ଏସବୁକୁ ପୁନଃ ଖୋଲାଯିବ। ଏହାବାଦ୍, କୋଭିଡ୍ ନିୟମର କଡ଼ା ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ତେବେ, ଏହି ଲଢ଼େଇରେ ଜନସାଧାରଣଙ୍କୁ ମଧ୍ୟ ସାମିଲ ହେବାକୁ ପଡ଼ିବ। ଜନସାଧାରଣ ସ୍ବତଃପୂର୍ତ୍ତଭାବେ କୋଭିଡ୍ ନିୟମକୁ ପାଳନ କରିବା ନିତାନ୍ତ ଜରୁରୀ। ଏତଦ୍ବ୍ୟତୀତ, ସୀମାନ୍ତ ଅଞ୍ଚଳରେ ଯେଭଳି ଅନୁପ୍ରବେଶ ନ ହୁଏ, ସେଥିପାଇଁ ବିହିତ ପଦକ୍ଷେପ କରାଯାଇଛି। ଯେଉଁମାନେ ଅନ୍ୟ ରାଜ୍ୟ, ବିଶେଷକରି ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ଶ୍ରୀ ଜେନା କହିଥିଲେ।
The post ଆତଙ୍କ ଖେଳାଇଲାଣି କରୋନା ସଂକ୍ରମଣ, ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୭,୦୦୦ ଟପିଲା first appeared on Sambad.from କରୋନା | Sambad https://ift.tt/3d4b0cn
0 Comments