କଟକ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟ ସଂପାଦନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଏଥିପାଇଁ ସବୁ ବିଭାଗର ଅଧୀକ୍ଷକ ପ୍ରତି କାର୍ଯ୍ୟଦିବସରେ ଦାୟିତ୍ବ ବଣ୍ଟନର ଯୋଜନାବଦ୍ଧ ତାଲିକା ବ୍ୟବସ୍ଥା (ରୋଷ୍ଟର୍‌ ଆରେଞ୍ଜମେଣ୍ଟ) କରିବେ। ୫୦ ପ୍ରତିଶତ କର୍ମଚାରୀ ଯେପରି ସବୁ କାର୍ଯ୍ୟଦିବସରେ ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରାଯିବ। ପ୍ରତି ଏକାନ୍ତର କାର୍ଯ୍ୟଦିବସରେ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। କର୍ମଚାରୀମାନେ ମୁଖ୍ୟାଳୟ ଛାଡିବେ ନାହିଁ। ଡ୍ୟୁଟି ନ ଥିବା ଦିନ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିବେ। ସେମାନଙ୍କୁ ଯେକୌଣସି ସମୟରେ ଫୋନ୍ ଯୋଗେ ଡକାଯାଇପାରେ। କାର୍ଯ୍ୟଦିବସରେ ଯଦି ମୁଖ୍ୟାଳୟରେ ଜଣେ କର୍ମଚାରୀ ଅନୁପସ୍ଥିତ ରହିଥବା ଜଣାପଡ଼େ ତେବେ ଉକ୍ତ ଦିବସକୁ ତାଙ୍କର କାଜୁଆଲ ଲିଭ୍ ଭାବେ ଗ୍ରହଣ କରାଯିବ। ପ୍ରତ୍ୟେକ କାର୍ଯ୍ୟଦିବସରେ ମାମଲା ରୁଜୁ କରିବାର ସମୟ ଦିନ ୧୦ଟାରୁ ୧ଟା ୩୦ ମିନିଟ ଧାର୍ଯ୍ୟ କରାଯାଇଛି। ଏପରି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଏଥି ସହିତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ପରିସ୍ଥିତିକୁ ବିଚାରକୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଜଜ୍, ଟ୍ରିବ୍ୟୁନାଲର ପ୍ରିଜାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

The post ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲିବ first appeared on Sambad.

from କରୋନା | Sambad https://ift.tt/3tK16mm